ଡଙ୍ଗରଗଡ଼ ମହୋତ୍ସବ-୨୦୨୪ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପ୍ରାକୃତିକ ସବୁଜିମା ଭରା କଲମଠାରେ  ମହାସମାରୋହରେ ଡଙ୍ଗରଗଡ଼ ମହୋତ୍ସବ ପାଳିତ ହୋଇଥିବାବେଳେ ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି, ସଂଗଠକ ତଥା ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା ତଥା ଦଳିତ ଆଦିବାସୀ ମହାସଙ୍ଘର ସଭାପତି ପରମାନନ୍ଦ ମାଝୀ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଯୁବ ସମାଜସେବୀ ନୀଳମାଧବ ସିଂଦେଓ, କର୍ଲାପଡା ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା, ସମାଜସେବୀ ପ୍ରଦୀପ କୁମାର ଦାସ, ତ୍ରିଲୋଚନ ପାଣିଗ୍ରାହୀ, କଲମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରଭିବାଳା ଦେବୀ, ଶିକ୍ଷାବିତ ବୈଷ୍ଣବ ମାଝୀ, ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଶଶୀଦେବ ମାଝୀ, ଉପସଭାପତି ଚନ୍ଦ୍ରସେନ ବାଗ, କୋଷାଧ୍ୟକ୍ଷ ମହେନ୍ଦ୍ର ବାଗ, ସହ କୋଷାଧ୍ୟକ୍ଷ କୀର୍ତ୍ତନ ମାଝୀ, କଲମ ସରପଞ୍ଚ ପ୍ରତିନିଧି ଭୁବନେ ନାଏକ ପ୍ରମୁଖ ମଂଚାସୀନ ଥିଲେ। ସୁରକ୍ଷା ପରିଷଦ ଟ୍ରଷ୍ଟର ସାଧାରଣ ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ଆଦିବାସୀ ନେତା ତଥା ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀଙ୍କୁ ‘ଡଙ୍ଗରପୁରୁଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ସମାଜସେବୀ ଦେବୀ ପ୍ରସାଦ ସିନ୍ଦୁର, ଅସିତ ପଣ୍ଡା, ବିଶିଷ୍ଟ ଚାଷୀ ଭୁବନେଶ୍ୱର ବିଶ୍ୱାଳଙ୍କୁ ‘ଡଙ୍ଗର ମାନବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯିବା ସହିତ ଡଙ୍ଗରଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳର ଉନ୍ନତି, ଡଙ୍ଗରଗଡ଼ ଜଳପ୍ରପାତର ଉନ୍ନୟନ ସହିତ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ବିକଶିତ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା। କେବଳ ଏତିକି ନୁହେଁ ଡଙ୍ଗରଗଡ଼ ସମେତ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ସହିତ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ନୀତି ଲାଗୁ କରି ପର୍ଯ୍ୟଟନ କରିଡ଼ର ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ଟ୍ରଷ୍ଟ ତରଫରୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ କଲମ, ଗଣ୍ଡ ବାରଝୋଲା, କୁଲିଆମାଲ, ଛେଲିଆମାଳ, କର୍ଲାପଡା ପଞ୍ଚାୟତ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ପ୍ରକୃତିପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରାଧ୍ୟ ଦେବଦେବୀଙ୍କ ନିକଟରେ ପୂଜାର୍ଚନା ଓ ଭୋଗରାଗ ପରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କ ସହିତ କଲମ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.