ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଲଡୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ବୁଧବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୪/୨୫ ଆର୍ଥିକ ବର୍ଷରେ ଲଡୁଗାଁ ପଞ୍ଚାୟତରେ ମୋଟ ୨୮୧ ଜଣ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ଆଜି ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉପସ୍ଥିତରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ହିତାଧିକାରୀ ମାନଙ୍କୁ କହିବା ସହ ପ୍ରଥମ କିସ୍ତି ପାଇବାର ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କଲେ ରାଜ୍ୟ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଓ ୬ ମାସ ମଧ୍ୟରେ ଶେଷ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରହିଛି ବୋଲି ବୁଝାଇ ଥିଲେ। ଏହାପରେ ଲଡୁଗାଁ ୱାର୍ଡ ନ-୭ ର ଅସହାୟ ବୃଦ୍ଧା ଉଷା ପୁଝାରୀଙ୍କ ଘରକୁ ଯାଇ ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ଓ ୱାର୍ଡ ସଭ୍ୟ ସଭ୍ୟାମାନେ ଆବାସ ଯୋଜନାର କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ। ଦିର୍ଘ ବର୍ଷରୁ ଉଷା ପଲିଥିନ ଘୋଡ଼ାଇ ଅସହାୟ ଅବସ୍ଥାରେ ରହି ଆସୁଥିଲେ, ତେବେ ଆଜି ତାଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଲିଥିବାରୁ ବ୍ଳକ ଉପାଧ୍ୟକ୍ଷ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ।