ଦ୍ଵିତୀୟ ରାଜ୍ୟସ୍ତରୀୟ ବୁରୋମୁଣ୍ଡା କ୍ରିକେଟ କପ ଉଦଯାପିତ: ଭୁବନେଶ୍ୱର ରୋୟାଲ ଆଇଆରସି ଦଳ ଚମ୍ପିୟନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବି.ବି.ସି.ସି ତରଫରୁ ଗତ ପାଞ୍ଚ ଦିନ ଧରି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଠାରେ ଚାଲିଥିବା ଦ୍ଵିତୀୟ ରାଜ୍ୟସ୍ତରୀୟ ବୁରୋମୁଣ୍ଡା କ୍ରିକେଟ କପ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସ ର ଫାଇନାଲ ଖେଳ ଭୁବନେଶ୍ୱରର ରୋୟାଲ ଆଇ. ଆର. ସି ଦଳ ଏବଂ ଭଦ୍ରକ ଏସ. ଜି ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ରୋୟାଲ ଆଇ. ଆର. ସି ଦଳ ଟସ ଜିଣି ପ୍ରଥମେ ବେଟିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ଆଠ ଓଭର ରେ ଆଠ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିବା ସହ ଭଦ୍ରକ ସମ୍ମୁଖରେ ୧୧୧ ରନ ର ଟାର୍ଗେଟ ଦେଇଥିଲା। ୧୧୧ ରନ ର ଟାର୍ଗେଟ କୁ ପିଛା କରି ଭଦ୍ରକ ଦଳ ୮ ଉଇକେଟ ହରାଇ ୫୮ ରନ ସଂଗ୍ରହ କରି ୫୩ ରନ ରେ ପରାଜିତ ହୋଇଥିଲା। ପରେ ବିବିସିସି ର ସଭାପତି ମଣ୍ଟୁ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଚମ୍ପିୟନ ଭୁବନେଶ୍ୱର ର ରୋୟାଲ ଆଇ ଆର ସି ଦଳ କୁ ନଗଦ ଏକ ଲକ୍ଷ ଟଙ୍କା ର ପୁରସ୍କାର ରାଶି ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଏବଂ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଯୋଗ ଦେଇ ଭଦ୍ରକର ଏସ. ଜି ଇଲେଭେନ ଦଳ କୁ ନଗଦ ଷାଠିଏ ହଜାର ଟଙ୍କା ର ପୁରସ୍କାର ରାଶି ସହ ଉପବିଜେତା ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ରେ ବ୍ୟକ୍ତିଗତ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଭଦ୍ରକ ର ହୀରାଲାଲ ମେଣ୍ଡିସ ଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଫାଇନାଲ ଖେଳ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ର ଛୋଟୁ ଆକାଶ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ସମସ୍ତ ମ୍ୟାଚ କୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ଜ୍ଞାନରଞ୍ଜନ ସ୍ୱାଇଁ, ସରୋଜ ଦାସ ଓ ଡ୍ୟାନସିଙ୍ଗ ଅମ୍ପିୟାର ବବଲୁ ସାହୁ ପରିଚାଳନା କରିଥିଲେ। ବୁଦ୍ଧଦେବ ମହାରଣା ଓ ପିଙ୍କୁ ଦାସ ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଡକ୍ଟର ମୁକେଶ ମହାଲିଙ୍ଗ ତାଙ୍କ ବକ୍ତବ୍ୟ ରେ ବୁରୋମୁଣ୍ଡା ରେ ଯଥାଶୀଘ୍ର ଏକ ମିନି ଷ୍ଟାଡିଅମ ତିଆରି କରାଯିବ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.