ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଅମୃତବାଣୀ ସେବା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଦ୍ୱାରା ଚଳିତ ମାସ ୨୦ ତାରିଖ ଠାରୁ ଦଶଦିନିଆ ସଂସ୍କୃତ ସମ୍ଭାଷଣ ଶିବିରର ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ସତୁରୀରୁ ଅଧିକ ଆଗ୍ରହୀ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍‌ଘାଟକ ଭାବରେ ଯୋଗଦେଇ, ସଂସ୍କୃତ କଥନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର ପ୍ରଚାର ପ୍ରସାର ନିମିତ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥି ଭାବରେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ନିର୍ଦେଶକ ଡ. କୁମାର ଚନ୍ଦ୍ର ମିଶ୍ର ସଂସ୍କୃତ ଭାଷାକୁ ସରଳ ଭାଷା ରୂପେ ଆଖ୍ୟାୟିତ କରିବା ସହ ଏହାର ସମ୍ଭାଷଣ ପାଇଁ ଅନୁକୂଳ ପରିବେଶ ତିଆରି କରିବାକୁ ମତ ଉପସ୍ଥାପନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସଂସ୍କୃତ ଭାଷାର ବୈଜ୍ଞାନିକତା ଉପରେ ସୂଚନା ଦେଇ ସମ୍ଭାଷଣ ଶିବିରର ଆୟୋଜନକୁ ପ୍ରଶଂସା କରିଥିଲେ। ସଂସ୍କୃତ ବିଭାଗର ସଂଯୋଜକ ପ୍ରଫେସର ଦେବାଶିଷ ପାତ୍ର ସଭା ପରିଚାଳନା କରିବା ସହ ପୂର୍ବ ବର୍ଷ ଆୟୋଜିତ ହୋଇଥିବା ସମ୍ଭାଷଣ ଶିବିରର ସଫଳତାକୁ ବଖାଣିଥିଲେ। ଏଥିରେ ସଂସ୍କୃତ ବିଭାଗର ଛାତ୍ର ରଣଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଶିବିରର ପ୍ରଶିକ୍ଷକ ତଥା ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ଅଧ୍ୟାପକ ଜୟପ୍ରକାଶ ଶାସ୍ତ୍ରୀ ଏବଂ ତପନକୁମାର ପଣ୍ଡା ସଭାରେ ଉପସ୍ଥିତ ଥିଲେ। ଏଥିରେ ସଂସ୍କୃତ ବିଭାଗର ଅଧ୍ୟାପକ ଡ଼କ୍ଟର ଦେବାଶିଷ ମିଶ୍ର, ଡ଼କ୍ଟର ପ୍ରୀତିରଞ୍ଜନ ମାଝୀ, ଡ଼କ୍ଟର ଦେବସ୍ମିତା ବାରିକ ଏବଂ ଭାଷାସାହିତ୍ୟ ବିଭାଗର ଡ଼କ୍ଟର ସଦାବ ଆଲାମ, ଡ଼କ୍ଟର ସୋନାଲୀ ଦାସ, ଡ଼କ୍ଟର ପ୍ରହଲ୍ଲାଦ ଖିଲ, ଡ଼କ୍ଟର ହେମଲତା ବେହେରା, ଡ଼କ୍ଟର ମହମ୍ମଦ ସରୀବ, ଈପ୍ସିତା ଦାସ, ଡ଼କ୍ଟର ସୁଶ୍ରୀ ସଂଗୀତା ସ୍ୱାଈଁ, ଡ଼କ୍ଟର ସୌମ୍ୟରଞ୍ଜନ ପଣ୍ଡା, ସମସ୍ତ ଛାତ୍ରଛାତ୍ରୀ ଓ ଗବେଷକ-ଗବେଷିକାମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.