ବେହେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଉତ୍ପାଦକ ଗୋଷ୍ଠୀର ସିଲେଇ ପୋଷାକ ପାଇ ପିଲା ଆନନ୍ଦିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ବିଜୟା ଖମାରୀଙ୍କ ସଭାପତିତ୍ୱରେ ତଥା ପ୍ରଧାନ ଶିକ୍ଷୟତ୍ରୀ ବିସ୍ମିତା ବାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବିତରଣ କରାଯାଇଥିଲା। ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଗୁଡିକରେ ପୋଷାକ ବିତରଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ନିର୍ଦ୍ଦେଶ ରହିଥିବା ବେଳେ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀକୁ ଏଥିପାଇଁ କାର୍ଯ୍ୟାଦେଶ ମିଳିଥିଲା। ଗୋଷ୍ଠୀର ନିଜସ୍ଵ ଟେଲରିଂ ୟୁନିଟ ଥିବାବେଳେ ୪୦ ଜଣ ମହିଳା ସିଲେଇ କାମରେ ନିୟୋଜିତ ହୋଇଛନ୍ତି। ଗୋଷ୍ଠୀ ପକ୍ଷରୁ ଉତ୍ତମ ମାନର ପୋଷାକ ପ୍ରଦାନ କରାଯାଇଥିବାରୁ ଛାତ୍ରଛାତ୍ରୀ ଆନନ୍ଦିତ ହେବାସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ସାଧୁବାଦ ଜଣାଇଛନ୍ତି। ସିଲେଇ ମାଧ୍ୟମରେ ସ୍ୱାବଲମ୍ବୀ ହୋଇଥିବା ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଏହି ସୁଯୋଗ ଦେଇଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୋଷାକ ବିତରଣରେ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ଉପ-ସଭାନେତ୍ରୀ ସାବିତ୍ରୀ ନାଏକ, ସଂପାଦିକା ସଂଗୀତା ବିଶି, ସହ-ସଂପାଦିକା ଦୁଲ୍ଲଭି ହଂସ, ସଦସ୍ୟା ଦୀପିକା ସାହୁ, ହିମାଦ୍ରୀ ଖଣ୍ଡାଧାରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପ-ସଭାପତି ଯଶୋବନ୍ତ ପାଣିଗ୍ରାହୀ, ମହେନ୍ଦ୍ର ଖମାରୀ, ସଦସ୍ୟା ଯୁଗନ୍ତି ପଟେଲଙ୍କ ସମେତ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.