ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭାର, ଡଲା, କୋଦାଳ ଧରି ଧାରଣା ଦେଲେ ଓ ବିକ୍ଷୋଭ କଲେ ଶ୍ରମିକ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ଗ୍ରାମ ପଞ୍ଚାୟତର ଶ୍ରମିକ ମାନେ ଏଭଳି ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଯେଉଁଠି ଶ୍ରମିକଙ୍କ କାମ କରିବା ପୁରା ହକ ଥିବା ବଦଳରେ ସେଠାରେ ମେସିନ କରୁଛି କାମ। ଏଠି ଶ୍ରମିକମାନେ କାମ ମାଗି ଗଲେ ଦୂର ସ୍ଥାନକୁ କାମ କରିବାକୁ ଯିବାକୁ କହୁଛନ୍ତି ପଞ୍ଚାୟତ ଅଧିକାରୀ ବାବୁ। ଏହାର ପ୍ରତିବାଦରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଏହି ପଞ୍ଚାୟତର ଶତାଧିକ ଶ୍ରମିକ। ଶ୍ରମିକ ମାନେ ନିୟମ ଅନୁଯାୟୀ ସି ଫର୍ମ ମାଧ୍ୟମରେ କାମ ମାଗୁଛନ୍ତି ହେଲେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ସରପଞ୍ଚଙ୍କ ଇଶାରାରେ ଶ୍ରମିକମାନଙ୍କୁ କାମ ଯୋଗାଇ ନ ଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ। ଏବଂ ମେସିନ ସାହାଯ୍ୟରେ କୋଟି କୋଟି ଟଙ୍କାର ମନରେଗା କାମ କରାଯାଉଥିବା ଅଭିଯୋଗ କରିଛନ୍ତି। ଏନେଇ ଉଲୁଣ୍ଡା ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ଶୁଣୁ ନଥିବାରୁ ବାଧ୍ୟ ହୋଇ ଆଜି କୋଡ଼ି କୋଦାଳ ଡ଼ାଲା ସହ ଏ ନିଆରା ପ୍ରତିବାଦ କରିଥିବା କହିଛନ୍ତି ଶ୍ରମିକମାନେ। ଏନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଶ୍ରମିକ ମାନେ ଏକ ଦାଵୀ ପତ୍ର ପ୍ରଦାନ କରିଛନ୍ତି।