ସାପ କାମୁଡାରେ ଚାଷୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଚାଷ ଜମିକୁ ଧାନ କାଟିବାକୁ ଯାଇଥିବାବେଳେ ସାପକାମୁଡ଼ାରେ ଚିକିତ୍ସାଧୀନ ଭାବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ପଂଚାୟତ ଗୋପାଳପୁର ଗାଁର ଭଗତରାମ ଗଉଡ଼(୪୪)। ଭଗତ ନିଜ ଚାଷ ଜମିକୁ ଧାନ କାଟିବାକୁ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ତିନିଟା ସମୟରେ ଚାଷ ଜମିରେ ସେ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବାବେଳେ କିଛି ଛେଳି ଚରାଳୀ ତାଙ୍କୁ ଦେଖି ଅନ୍ୟ ଧାନ କାଟୁଥିବା ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ଖବର ପାଇ ପରିବାର ଲୋକେ ବି ପହଞ୍ଚିଥିଲେ। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ବଡ଼ଭାଇ ପର୍ଶୁରାମ ଗଉଡ଼ ନର୍ଲା ଥାନାରେ ଏକ ଅଭିଯୋଗ ଦାଖଲ କରିବା ପରେ ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବର, ପୁଲିସ କର୍ମଚାରୀ ଗୋକୁଳ ସାହୁ ପ୍ରମୁଖ ହସ୍ପିଟାଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ନର୍ଲା ଥାନାରେ କେସ ନଂ ୧୨/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କଲେ ଏବଂ ମୃତ ଭଗତଙ୍କ ବାମପଟ ଅଣ୍ଟା ତଳକୁ ଏକ କାମୁଡ଼ା ଦାଗ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଲୋକେ କୌଣସି ବିଷାକ୍ତ ସାପ କାମୁଡ଼ା ସନ୍ଦେହ କରୁଥିବାବେଳେ ତାଙ୍କ ଦେହର ଦାଗ ଓ ଶାରୀରିକ ଲକ୍ଷଣ ଏହା ସୂଚାଉଛି ବୋଲି ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଉଛି। ଅପରପକ୍ଷରେ ଗାଁକୁ ଶବ ପହଂଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଦାହ ସଂସ୍କାର କରାଯାଇଥଲା। ତେବେ ଗତ ତିନି ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ବାପାଙ୍କ ଭରସାରେ ଥିବା ତାଙ୍କର ଗୋଟେ ପୁଅ ଓ ନାବାଳିକା ଝିଅ ସଂପୂର୍ଣ୍ଣ ଭାବେ ନିରାଶ୍ରୟ ହୋଇ ପଡିଛନ୍ତି। ବାପାଙ୍କ ମୃତ୍ୟୁ ପରେ ବାପମାଆ ଛେଉଣ୍ଡ ଭାଇ ଭଉଣୀଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.