ଘରେଇ କଳହକୁ ନେଇ ପୋଲିସ ଦମ୍ପତିଙ୍କ ମଧ୍ୟରେ ଝଗଡା: ସ୍ୱାମୀଙ୍କ ନୃଶଂସ ଆକ୍ରମଣରେ ମହିଳା ଗୁରୁତର, ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ବଲାଙ୍ଗିର ରିଜର୍ଭ ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ସ୍ୱାମୀ-ସ୍ତ୍ରୀ । ଘରୋଇ କଳହକୁ ନେଇ ପୋଲିସ ଦାମ୍ପତିଙ୍କ ମଧ୍ୟରେ ଝଗଡା ଲାଗିଥିବା ବେଳେ ସ୍ୱାମୀ ସ୍ତ୍ରୀ ମିଶି ବାଇକ୍‌ ଯୋଗେ ନିଜ ଗାଁ ତୁଷୁରା ଥାନା ଅନ୍ତର୍ଗତ ସମରାକୁ ଯାଉଥିବା ସମୟରେ ଏହା ଉଗ୍ରରୂପ ଧାରଣ କରିଥିଲା । ତୁଷୁରା ଏୟାର୍‌ ଫିଲ୍ଡ ପାଖ ବଡ଼ଙ୍ଗୋମୁଣ୍ଡା ରାସ୍ତାରେ ପାରିବାରିକ କଳହକୁ ନେଇ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏକ ପଥରରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଆସି ଯାଇଥିଲେ । ଏତିକି ବେଳେ ଯନ୍ତ୍ରଣାରେ ଛଟପଟ୍ ସ୍ତ୍ରୀଙ୍କୁ ଛାଡି ଫେରାର୍‌ ମାରିଥିଲେ କନେଷ୍ଟବଳ ସ୍ୱାମୀ । ଘଟଣା ସ୍ଥଳରୁ ବାଇକ୍‌ ଉଦ୍ଧାର କରି ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଗୁରୁତର ମହିଳା ପୋଲିସଙ୍କୁ ବଲାଙ୍ଗିରର ଏକ ଘରେଇ ମେଡିକାଲରେ ଚିକିତ୍ସା କରାଯାଉଥିବା କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.