(ବିଶ୍ବ ମାନବାଧିକାର ଦିବସ ଅବସରରେ)
ସମାଜରେ ସଭ୍ୟ, ମର୍ଯ୍ୟାଦାଜନକ ଓ ବିକଶିତ ଜୀବନ ଯାପନ ପାଇଁ ମାନବାଧିକାର ଆବଶ୍ୟକ ହୋଇଥାଏ। ମଣିଷ ତାର ପ୍ରଗତି ନିମନ୍ତେ ତାର ଜୀବନ, ସ୍ବାଧୀନତା ଓ ମର୍ଯ୍ୟାଦାର ସୁରକ୍ଷାକୁ ମାନବାଧିକାର କୁହାଯାଏ। ମାନବାଧିକାର ପ୍ରାକୃତିକ, ସ୍ବତନ୍ତ୍ର ଓ ସ୍ବାଭାବିକ ଅଟେ। ରାଷ୍ଟ୍ର ଦେବା ନ ଦେବା ପୂର୍ବରୁ ମାନବାଧିକାର ବ୍ୟକ୍ତିର ଅଧିକାର ଅଟେ। ୧୨୧୫ ମସିହା ଜୁନ ୧୫ ତାରିଖରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍ମ ଙ୍କ ଦ୍ବାରା ସ୍ବାକ୍ଷରିତ “ମାନ୍ନା କାର୍ଟା” ମାନବାଧିକାରର ପ୍ରଥମ ଲିଖିତ ଓ ସ୍ବୀକୃତ ସନନ୍ଦ ରୂପେ ବିବେଚନା କରାଯାଏ। ୧୭୭୬ ମସିହାରେ ଆମେରିକାର ସ୍ବାଧୀନତା ସଂଗ୍ରାମ ଓ ୧୭୮୯ ମସିହାରେ ଫ୍ରାନ୍ସ ର ମାନବ ଅଧିକାର ଘୋଷଣାନାମା ମାନବ ଅଧିକାରକୁ ଏକ ଆନ୍ଦୋଳନର ରୂପ ଦେଇଅଛି। ମିଳିତ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ୧୯୪୮ ମସିହା ଡିସେମ୍ବର ୧୦ତାରିଖରେ “ମାନବାଧିକାରର ସାର୍ବଜନୀନ ଘୋଷଣାନାମା” ଜାରି କରିବା ଦ୍ବାରା ସାରା ବିଶ୍ୱରେ ମାନବାଧିକାର ବିଶ୍ବ ବ୍ୟାପକତା ଲାଭ କଲା। ସେହି ଦିନଠାରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ମାନବାଧିକାର ଦିବସ ଭାବରେ ସାରା ବିଶ୍ୱରେ ପାଳନ କରାଯାଉଛି।୨୦୨୪ ମସିହାର ମାନବାଧିକାର ଦିବସର ବାର୍ତ୍ତା ହେଲା-” ଆମର ଅଧିକାର, ଆମର ଭବିଷ୍ୟତ, ବର୍ତ୍ତମାନ ଠାରୁ”।
ମାନବାଧିକାର ବିଭିନ୍ନ ସ୍ବାଧୀନତାର ସମଷ୍ଟି। ଯେମିତି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ,ଦେଶ,ମାନବର ଜନ୍ମ ସ୍ଥାନର ଭେଦଭାବ ରୁ ସ୍ବାଧୀନତା। ଚିନ୍ତାଧାରା, ମତବ୍ୟକ୍ତ କରିବାର ସ୍ବାଧିନତା। ନିଷ୍ପତ୍ତି ନେବା ଓ ସଂଘ ଗଠନର ସ୍ୱାଧୀନତା। ଅନ୍ତର୍ନିହିତ ଗୁଣର ବିକାଶର ସ୍ବାଧୀନତା। ଦାରିଦ୍ର୍ୟ, ଅତ୍ୟାଚାର,ମନମୁଖୀ ଗିରଫଦାରୀ, ହିଂସାତ୍ମକ ବ୍ୟବହାରରୁ ସ୍ବାଧୀନତା। ଅନ୍ୟାୟ,ଆଇନର ଅପବ୍ୟବହାର, ଅତ୍ୟାଚାର ବିରୁଦ୍ଧରେ ସ୍ବାଧୀନତା। ମିଳିତ ଜାତିସଂଘରେ ସମୁଦାୟ ୩୦ଧାରା ବିଶିଷ୍ଟ ଏହି ଘୋଷଣାନାମା ସାଧାରଣ ପରିଷଦ ଦ୍ବାରା ପ୍ୟାରିସ ଅଧିବେଶନରେ ୧୯୪୮ ଡିସେମ୍ବର ୧୦ତାରିଖରେ ଗୃହୀତ ହୋଇଥିଲା।
ମାନବାଧିକାର ବ୍ୟକ୍ତିର ଜୀବନ,ଯୋଗ୍ୟତା ଓ ମର୍ଯ୍ୟାଦାର ସୁରକ୍ଷା ପ୍ରଦାନ କରିଥାଏ। ସୁଖୀ ମଣିଷ ଓ ସମୃଦ୍ଧ ରାଷ୍ଟ୍ର ଗଠନ ନିମନ୍ତେ ମାନବାଧିକାର ଅପରିହାର୍ଯ୍ୟ ଅଟେ। ମାନବାଧିକାରର ସାର୍ବଜନୀନ ଘୋଷଣାନାମାରେ ବର୍ଣ୍ଣିତ ବିଭିନ୍ନ ମାନବାଧିକାର ଗୁଡିକ ହେଲା- ବ୍ୟକ୍ତି ନିରାପତ୍ତା, ଦାସତ୍ୱର ବିଲୋପ, ନିର୍ଯ୍ୟାତନା, ବ୍ୟକ୍ତିଗତ ଗୋପନୀୟତା, ରାଷ୍ଟ୍ର ଓ ବିଦେଶ ଭ୍ରମଣ, ଜାତୀୟତା ଧାରଣ ଓ ପରିବର୍ତ୍ତନ, ବିବାହ ଓ ପରିବାର ଗଠନ, ସଂପତ୍ତି ସଂଗ୍ରହ, ମତଦାନ, ଛୁଟି, ବିଶ୍ରାମ,ଅବସର, ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ୟ ସୁରକ୍ଷା, ଅକ୍ଷମତା, ବାର୍ଦ୍ଧକ୍ୟ,ବୈଧବ୍ୟ, ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା, ସାଂସ୍କୃତିକ ଜୀବନ, ବୈଜ୍ଞାନିକ ସୁଫଳ ନୈତିକ ଓ ବସ୍ତୁତଃ ସ୍ବାର୍ଥ ରକ୍ଷାର ଅଧିକାର ଅନ୍ତର୍ଭୁକ୍ତ।
ମାନବ ଅଧିକାର ଉଲଂଘନ ହେଲେ ବିଚାର ପାଇଁ ଜାତିସଂଘ ପକ୍ଷରୁ ମାନବାଧିକାର ଆୟୋଗ ଗଠନ କରାଯାଇଛି। ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ମାନବାଧିକାର କମିଶନ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ୧୯୯୩ ମସିହାରୁ ଓ ଓଡ଼ିଶାରେ ୨୦୦୩ ମସିହାରୁ ମାନବାଧିକାର ଆୟୋଗ କାର୍ଯ୍ୟ କରୁଅଛି।
ଭାରତ, ସମ୍ବିଧାନରେ ବର୍ଣ୍ଣନା କରାଯାଇଥିବା ସମସ୍ତ ମାନବାଧିକାରର ସୁରକ୍ଷା ପାଇଁ ସର୍ବାଦା ଚେଷ୍ଟିତ। ମାନବାଧିକାର ବ୍ୟକ୍ତିକୁ ମୌଳିକ ଜୀବନ ବଞ୍ଚିବାକୁ ସହାୟକ ପ୍ରଦାନ କରିଥାଏ। ସମସ୍ତେ ମାନବାଧିକାର ପାଇବା ପାଇଁ ରାଷ୍ଟ୍ର ସହିତ ବ୍ୟକ୍ତି ମଧ୍ୟ ଗୁରୁତ୍ୱାରୋପ କରିବା ଆବଶ୍ୟକତା ରହିଛି। ବ୍ୟକ୍ତି ପୂର୍ଣ୍ଣ ସ୍ବାଧୀନତା ପ୍ରାପ୍ତି କରିବା ପାଇଁ ନିଜେ ମଧ୍ୟ ସ୍ବର ଉତ୍ତୋଳନ ପୂର୍ବକ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ଆଗେଇ ଆସିବା ଉଚିିତ। ବ୍ୟକ୍ତି ପୂର୍ଣ୍ଣ ମାତ୍ରାରେ ବୁଝିବା ଦରକାର ମାନବ ହିଁ ମାନବର ବନ୍ଧୁ। ତେବେ ଯାଇ ମାନବର ମଣିଷ ପଣିଆ ବିକଶିତ ହେବ। ମାନବାଧିକାର’ତ ବ୍ୟକ୍ତିକୁ ସର୍ବୋଚ୍ଚ ସ୍ଥାନ ଦେବା ପାଇଁ ସହର୍ଷ ସମର୍ପିତ।