ନିଶା ଖିଆରୁ ହୋଇଥିଲା ବଚସା: ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ବନ୍ଧୁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ। ଏନେଇ ଦେଓଗାଁର ଦୁଇ ଜଣ ଅଭିଯୁକ୍ତ ଅମର ସାଗର ନନ୍ଦ ଓ କ୍ଷେତ୍ରମଣି ସେନାପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଥିବା ବେଳେ ୧୫ ବର୍ଷ ତଳର ବନ୍ଧୁଙ୍କୁ ନିଶାରେ ଚୁର ଥିବା ବନ୍ଧୁ ଘରୋଇ କଥାକୁ ନେଇ କଥା କଟାକଟି ହେବାରୁ ରାତିରେ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରେଳ ଲାଇନ ଟ୍ରାକରେ ଶବ ପାକାଇଥିଲା ହତ୍ୟାକାରୀ ବୋଲି ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି।

ଦେଓଗାଁ ରେଳ ଷ୍ଟେସନ ରୁ ୫୦ ମିଟର ଦୂରରେ ଥିବା ଏକ ଧାନ ଗଦା ନିକଟରେ ମୃତ ବୁଲୁ ବାଗକୁ ହତ୍ୟା କରିବା ପରେ ରେଳ ଲାଇନ ଉପ କୁ ଫିଙ୍ଗି ଦେଇଥିଲେ ହତ୍ୟାକାରୀ। ମିଳିଥିବା ସୂଚନା ଅନୁସାରେ ୧୫ ବର୍ଷ ତଳୁ ବୁଲୁ ଓ ଅମର ସାଙ୍ଗ ହୋଇ ଚିହ୍ନା ପରିଚୟ ହୋଇଥିଲେ। ଗତ ସୋମବାର ଦିନ ବୁଲୁ ସହ ସାକ୍ଷାତ ହେବା ପରେ ଦୁଇ ବନ୍ଧୁ ଆଉ ଜଣେ ବନ୍ଧୁ ସହ ମିଶି ଖିଆ ପିଆ କରି ନିଶା ସେବନ କରିଥିଲେ। ଅଧିକ ନିଶା ହେବାରୁ ତିନି ଜଣଙ୍କ ମଧ୍ୟରେ ବଚସା ହୋଇଥିଲା ଯାହା ଫଳରେ ଏକ ଛୋଟ ପଥରରେ ଆକ୍ରମଣ କରି ବୁଲୁର ମୁଣ୍ଡ ଫଟାଇବା ପରେ କାଳେ ସେ ଓଲଟା ଆକ୍ରମଣ କରିବ ଭାବି ଏକ ବଡ଼ ପଥରରେ ମୁଣ୍ଡକୁ ଛେଚି ଦେଇଥିଲୁ ବୋଲି ହତ୍ୟା ସମୟର ଚିତ୍ର ଦେଖାଇବା ବେଳେ ଅଭିଯୁକ୍ତମାନେ ପ୍ରକାଶ କରିଥିଲେ। ଏନେଇ ଦେଓଗାଁ ପୁଲିସ ସାଇଣ୍ଟିଫିକ ଟିମ ସହ ଦେଓଗାଁରେ ଥିବା ଦୁଇ ଅଭିଯୁକ୍ତଙ୍କ ଘରୁ ରକ୍ତ ଲଗା ପ୍ୟାଣ୍ଟ ସାର୍ଟ ଜବତ କରି ନିଶାରେ ବ୍ୟବହାର ହୋଇଥିବା ମଦ ବୋତଲ ଓ ଚପଲକୁ ଦେଖିବାକୁ ପାଇଥିଲେ। ଏପରି କି ଏକ ନାଳରୁ ହତ୍ୟାକାରୀ ବ୍ୟବହାର କରିଥିବା ପଥରକୁ ବି ବାହାର କରି ଜବତ କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ନିଶା ସେବନରୁ ବଚସା ଓ ତାପରେ ହତ୍ୟା ବୋଲି ବଲାଙ୍ଗୀର ଏସପି କହୁଥିବାରୁ ଦେଓଗାଁ ଥାନା ଅଞ୍ଚଳରେ କିଭଳି ନିଶା କାରବାର ହେଉଛି ତାହା ଜଳ ଜଳ ହେଇ ବାରିହେଉଛି। ଏଣୁ ଦେଓଗାଁରେ ହେଉଥିବା ବେଆଇନ ନିଶା କାରବାର ପ୍ରତି ରୋକ ଲଗାଇବାକୁ ଦେଓଗାଁବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.