ସୋନପୁର: କୁକୁର କାମୁଡ଼ାରେ ୨୦ ଆହତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତକାଲି ସୋନପୁର ସହରର ବିଭିନ୍ନ ପଡ଼ାରେ ୧୮ଜଣ କୁକୁର କାମୁଡ଼ାର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେଥିରୁ ୫ଜଣ ଆହତଙ୍କ ଠିକଣା ମିଳିଥିବାବେଳେ ଅନେକଙ୍କ ଠିକଣା ମିଳିପାରିନାହିଁ। ଆହତ ୫ଜଣ ହେଲେ ସହରର ଧିବରପଡ଼ାର ସିଦ୍ଧାନ୍ତ ପଧାନ, ପଟାଭାଡ଼ିର ଅଳକା ମେହେର, ଥନାପତି ପଡ଼ାର ସୌମ୍ୟ ପ୍ରଧାନ, ବ୍ଳକଛକର ଗୋଲେଖ ସାହୁ ଏବଂ ନୂଆମାଲି ପଡ଼ାର ଗିରି ଗୋବଦ୍ଧନ ମହାପାତ୍ର ବୋଲି ଜଣା ପଡିଛି। ସେପଟେ ଆଜି ସୋମବାର ସକାଳୁ ମଧ୍ୟ ମଝିପଡାର ରାଜୀବ ସାହୁ ଓ ପୂର୍ଣାବାସୀ ନାଏକ ମଧ୍ୟ କୁକୁର କାମୁଡ଼ା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବୁଲା କୁକୁର ଦଳ ସହରର ବିଭିନ୍ନ ଛକ ତଥା ଗଳି ମାନଙ୍କୁ ଦଳ ଦଳ ହୋଇ ଆତଙ୍କ ସୃଷ୍ଟି କରୁଛନ୍ତି ଫଳରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୩ ନଭେମ୍ବରରୁ ୨୦୨୪ ନଭେମ୍ବର ମଧ୍ୟରେ ୮୯୩ ବ୍ୟକ୍ତି କୁକୁର କାମୁଡା ଯୋଗୁ ଚିକିତ୍ସିତ ହୋଇଛନ୍ତି। ଗୋଟିଏ ଦିନରେ ସହରରେ ୧୮ଜଣଙ୍କୁ କୁକୁର କାମୁଡିବା ଘଟଣାକୁ ନେଇ ସହରରେ ଆତଙ୍କ ଖେଳିଯାଇଛି। ବୁଲା କୁକୁର ମାନଙ୍କୁ ସହରରୁ ବାହାର କରିବା ସହ ଦୌରାତ୍ମ୍ୟ ରୋକିବାକୁ ସୋନପୁର ପୌର ପ୍ରଶାସନ ତ୍ବରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସେପଟେ କିଛି ମାସ ପୂର୍ବରୁ ସୋନପୁରରୁ ୮ କିମି ଦୂର ବଲାଙ୍ଗୀର ରାସ୍ତାରେ ଏକ କୁକୁର ବୋଝେଇ ଗାଡି କୌଣସି ସହରରୁ ଆଣି ସୋନପୁର ପଟକୁ ଛାଡି ଚାଲି ଯାଇଥିବା କିଛି ସ୍ଥାନୀୟ ଭଦ୍ରବ୍ୟକ୍ତି ଦେଖିଥିବା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.