ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଡହାଗାଁ ନିକଟରେ ଅଜଣା ହାଇୱା ଧକ୍କାରେ ସାଗବାହିଲି ଗ୍ରାମର ହୃଷିକେଶ ନାଏକଙ୍କ ୬ବର୍ଷର ଶିଶୁ ପୁତ୍ର କ୍ଷିରୋଦଙ୍କ ମୃତ୍ୟୁ ଘଟିଛି। ହୃଷିକେଶ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ମୃତକଙ୍କ ପରିବାର ଓ ରାଜମିସ୍ତ୍ରୀ ସଂଘ ପକ୍ଷରୁ କ୍ଷତିପୂରଣ ଦାବିରେ ଗତକାଲି ସନ୍ଧ୍ୟାରୁ ଡହଗାଁ ହାଇସ୍କୁଲ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି। ଧର୍ମଗଡ଼ ବ୍ଳକ ସାଗବାହିଲି ଗ୍ରାମରୁ ହୃଷିକେଶ ଓ ତାଙ୍କ ୬ବର୍ଷର ଶିଶୁପୁଅ ଡଙ୍ଗରୀଗୁଡାକୁ ବାଇକ୍ ଯୋଗେ ଆସୁଥିଲେ। ତେବେ ଡହାଗାଁ ବଜାର ପଡିଆ ନିକଟରେ ଏକ ଅଜଣା ହାଇୱା ପଛପଟୁ ତାଙ୍କ ବାଇକୁ ଧକ୍କା ଦେଇଥିଲା। ଫଳରେ ବାପପୁଅ ଛିଟିକି ଯାଇ ରାସ୍ତାରେ ପଡ଼ିଥିଲେ। ଘଟଣା ସ୍ଥଳରେ ପୁଅ କ୍ଷିରୋଦର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ହୃଷିକେଶକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋକସରା, ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଓ ଅବସ୍ଥା ସଂକଟାପନ୍ନ ହେବାରୁ ହୃଷିକେଶଙ୍କୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ହୃଷିକେଶ ଜିବନ ମରଣ ସହ ସଂଗ୍ରାମ କରୁଥିବା ଜଣାପଡିଛି। ରବିବାର ସନ୍ଧ୍ୟାରୁ ମୃତ କ୍ଷିରୋଦଙ୍କ ଶବ ରଖି ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ। ସୋମବାର ସକାଳ ମଧ୍ୟ କୈାଣସି ସମାଧାନ ହୋଇ ନଥିଲା। ଏହାପରେ ରାଜମିସ୍ତ୍ରୀ ସଂଘ, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ବିଜେଡ଼ି ନେତା ପିଣ୍ଟୁ ତିୱାରୀ ପ୍ରମୁଖ ରାସ୍ତା ଅବରୋଧରେ ସାମିଲ ହୋଇ ମୃତକଙ୍କ ସହାୟତା ପ୍ରଦାନ ସହ ଗୁରୁତର ହୃଷୀକେଶଙ୍କ ଚିକିତ୍ସା ସହାୟତା ଦାବି କରି ରାସ୍ତାରେ ବସିଥିଲେ। ଘଟଣା ସ୍ଥଳରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କୋକସରା ଥାନା ଅଧିକାରିଣୀ ସିଗ୍ଧାରାଣୀ ସୁନା, ଅନିଲ କୁମାର ପାଢ଼ୀ, ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ। ଘଟଣାର ଖବର ପାଇ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ନିଜ ଆଡୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଗଡ଼ି ମାଲିକ ପକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ରେଡ୍ କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ସରକାରୀ ହିସାବରେ ଯାହା ସହାୟତା ରହିଛି ଯୋଗାଇ ଦେବାପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବାପରେ ଦିର୍ଘ ୨୪ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା।