ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ବାଟ ଓଷା ବା ଦାଣ୍ଡ ପହଁରା ଓଷା ପାଳନ କରାଯାଏ। ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି। ଏଥିରୁ ରକ୍ଷା ପାଇବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷାର ସୃଷ୍ଟି। ଓଡ଼ିଆ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି। ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର। ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି।





