ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ: ବୀର ବାଦ୍ୟ ଘୁମୁରାରେ ଦୁଲୁକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୫ ତମ ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି । ସମୟ ନିର୍ଘଣ୍ଟ ଅନୁଯାୟୀ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଅବିଭାବକ ଓ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ୩୫ ତମ ବାର୍ଷିକ ଉତ୍ସବ ।

ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ସାରଥି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବୌଦ୍ଧିକ ଶିକ୍ଷଣ ପ୍ରମୁଖ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କଳାହାଣ୍ଡି ବିଭାଗ ର ଶ୍ୟାମ ସୁନ୍ଦର ପାଢ଼ୀ ଯୋଗଦାନ କରି ନିଜର ସନ୍ତାନ ମାନଙ୍କୁ ସଂସ୍କାର ଦେଇ ଗଢି ତୋଳିବା ପାଇଁ ପ୍ରତ୍ୟେକ ଅବିଭାବକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମାର୍ଗଦର୍ଶନ ଦେଇଥିଲେ । ନର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସଭାପତି ଶ୍ରୀ ନାୟକ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ବେଳେ, ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଶ୍ରୀ ନାଏକ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ ବିଦ୍ୟାଳୟର ପ୍ରାଚୀର ପତ୍ରିକା କମଳ କଳିକାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଶ୍ରେଣୀ ଅନୁଯାୟୀ ସଂସ୍କାର ପୂର୍ଣ୍ଣ ନୃତ୍ୟ ପରିବେଷଣ କରିଥିଲେ କୁନି କୁନି ଛାତ୍ରଛାତ୍ରୀ ମାନେ । ଘୁମୁରା ନୃତ୍ୟ ସମେତ ସମ୍ବଲପୁରୀ ନୃତ୍ୟ, ସମାଜ ସଂସ୍କାର ଧର୍ମୀ ସଂସ୍କୃତ ନାଟକ “ଭାତ୍ରୁଭକ୍ତି”, ହିନ୍ଦୀ ନାଟକ “ଜୈଶି କରନି ୱେସି ଭର୍ଣି”, ଓଡ଼ିଆ ନାଟକ “ତଅପୋଇ” ବେଶ ଆକର୍ଷଣୀୟ ହୋଇପାରିଥିଲା । ବିଶେଷ କରି ବୀର ବାଦ୍ୟ ଘୁମୁରା ନାଦ ରେ ମଞ୍ଚ କମ୍ପି ଉଠିଥିଲା। ଦର୍ଶକଙ୍କୁ ବାନ୍ଧି ରଖି ଭରପୁର ମନୋରଂଜନର ଖୋରାକ ଯୋଗାଇଥିଲେ ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର ଛାତ୍ରଛାତ୍ରୀ ମାନେ । ରାତି ୧୦ ଟା ଯାଏଁ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଶିଶୁ ମନ୍ଦିରର ପୂର୍ବତନ ଗୁରୁଜୀ ପ୍ରଫୁଲ୍ଲ କୁମାର ନାଗ, ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ, ଶିକ୍ଷକ ଶରତ ଭୋଇ, ଶିକ୍ଷକ କେଶରୀ ରଣା, ପ୍ରକାଶ ଭୋଇ, ଚକ୍ରଧର ସା, ବିମଳ ପଧାନ ପ୍ରମୁଖ ବିଚାରକ ଭାବରେ କଳାକାର ମାନଙ୍କ ଅଭିନୟକୁ ମୂଲ୍ୟାୟନ କରିଥିଲେ । ସମସ୍ତ ଶ୍ରେଷ୍ଠ କଳାକାରଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା।

ନାଟ୍ୟ ନିର୍ଦ୍ଦେଶକ ଜୟଦୁର୍ଗା ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ଼, ଓ ସମସ୍ତ ସହଯୋଗୀ ମାନଙ୍କୁ ବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତା ମଞ୍ଚରେ ସମ୍ବର୍ଦ୍ଧିତ କରିଇଥିଲେ । ନାଟକ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଘୁମୁରାର ଉତ୍ତମ କଳାକାର ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ଓ ସେବକ ସେବିକା ବିଭିନ୍ନ ଦାୟୀତ୍ୱରେ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.