ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ପଟାମରା ଗାଁରେ ଧାନଖଳାରେ ରଖାଯାଇଥିବା ୨ ଶହରୁ ଅଧିକ ବସ୍ତା ଧାନକୁ ହାତୀପଲ ଖାଇଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି | ଗ୍ରାମର ୬ ଜଣ ଚାଷୀ ଦ୍ଵିତୀୟା ବଗର୍ତ୍ତୀ, ରାଧେଶ୍ୟାମ ବଗର୍ତ୍ତୀ, ଟିକେରାମ ବଗର୍ତ୍ତୀ, କୈଳାସ ଜାଲ, ଦାଶରଥି ପୋଢ଼, ଭାଗିରଥି ପୋଢ ୩ଟି ଖଳାରେ ବସ୍ତାରେ ରଖିଥିବା ଧାନକୁ ହାତୀପଲ ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ମଧ୍ୟରୁ ଆସି ଧାନ ଖାଇଦେଇଛନ୍ତି | ସାଧାରଣତଃ ଧାନ ଜଗିବା ଲକ୍ଷ୍ୟରେ ଚାଷୀମାନେ ଖଳାରେ ଶୋଇଥାନ୍ତି | ତେବେ ସୌଭାଗ୍ୟବଶତଃ ଖଳାକୁ କେହି ଜଗିବାକୁ ଯାଇନଥିବାରୁ କୌଣସି ଲୋକଙ୍କ ଜୀବନହାନୀ ହୋଇନାହିଁ | ଗୋଟିଏ ଖଳାରେ ଦ୍ଵିତୀୟା ବଗର୍ତ୍ତୀ ଓ ଅନ୍ୟ ଏକ ଖଳାରେ କୈଳାସ ଜାଲ, ଟିକେରାମ ବଗର୍ତ୍ତୀ ବସ୍ତାରେ ଧାନ ରଖିଥିଲେ | ସେହିପରି ଆଉ ଏକ ଖଳାରେ ରାଧେଶ୍ୟାମ ବଗର୍ତ୍ତୀ, ଦାଶରଥି ପୋଢ଼, ଭାଗିରଥି ପୋଢ଼ଙ୍କ ଧାନ ରହିଥିଲା | ବହୁ ପରିଶ୍ରମ ଓ ଧାର କରଜ କରି ଉପାର୍ଜନ କରିଥିବା ଧାନକୁ ହାତୀ ଖାଇଯାଇଥିବା ନେଇ ଚାଷୀଙ୍କ ସମେତ ପରିବାରଲୋକେ ଭାଙ୍ଗିପଡିଛନ୍ତି | କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହେଉଛି |