ଓଡ଼ିଆ ବାର୍ତ୍ତା ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଲୋକସମ୍ପର୍କ ବିଭାଗ ଆୟୋଜନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହ ଅବ୍ୟବହିତ ପୂର୍ବରୁ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଆଜି ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପ୍ରେକ୍ଷାଳୟରେ ବାଲେଶ୍ଵରର ନିମନ୍ତ୍ରିତ କବିମାନେ ସେମାନଙ୍କ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବ ରେ ପୌରୋହିତ୍ୟ କରିଥିଲେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିମଳ ଜେନା। ପ୍ରାକ୍ତନ ପ୍ରାଧ୍ୟାପକ ଓ କବି ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବିତା ପାଠକୁ ସଂଚାଳନା କରିଥିଲେ ଅଧ୍ୟାପକ ଦିଲ୍ଲୀପ ରଥ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତ ଉଦବୋଧନ ଦେଇ ସୁଶାସନ ଦିବସ ସମ୍ପର୍କରେ କହିଥିଲେ ଏବଂ ନିମନ୍ତ୍ରିତ କବିମାନଙ୍କୁ ସ୍ଵାଗତ କରିଥିଲେ। ଏହି କବିତା ପାଠୋତ୍ସବରେ ନିମନ୍ତ୍ରିତ କବି ଭାବରେ ଯଶୋଧାରା ଦାସ, ସୈରିନ୍ଧ୍ରୀ ସାହୁ, ବିମଳ ଜେନା, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ରଞ୍ଜନ ବାଗ, ସିତାଂଶୁ ଲେଙ୍କା, ପ୍ରୀତିଲେଖା ଦାସ, ଜୟନ୍ତୀ ବିଶ୍ଵାଳ ବେହୁରିଆ ଏବଂ ହରିଶ୍ଚନ୍ଦ୍ର ବେହେରା କବିତା ପାଠ କରିଥିଲେ।