ସ୍ମାରକୀ ଜାତୀୟ ନାଟକ ମହୋତ୍ସବ- ୨୦୨୪ ଉଦଯାପିତ

ମଞ୍ଚସ୍ଥ ହେଲା ନାଟକ “ଜାତି ନନ୍ଦିଘୋଷ”

ସମ୍ବର୍ଦ୍ଧିତ ହେଲେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ସତ୍ୟବ୍ରତ ରାଉତ, କବୟିତ୍ରୀ ଅଭିନେତ୍ରୀ ମମତା ତ୍ରିପାଠୀ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ।

ନାଟକ କ୍ଷେତ୍ରରେ କଳାହାଣ୍ଡି ମାଟିକୁ ବିଶେଷ ଅବଦାନ ପାଇଁ ବରିଷ୍ଠ ନାଟ୍ୟଶିଳ୍ପୀ ବସନ୍ତ ପଣ୍ଡା, ମନୋଜ ଶର୍ମା, କାହ୍ନୁ ଚରଣ ଗଉଡ ଏବଂ ଯୁବଶିଳ୍ପୀ ଆଶୁତୋଷ ପୁରୋହିତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବେଳରେ ବାହୁଡି ଯାଇଥିବା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର ଉଦଯାପନୀ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ “ଜାତି ନନ୍ଦିଘୋଷ”। ଓଡ଼ିଶାର ଭାଷାକୁ ବଞ୍ଚେଇବା ପାଇଁ ଓଡ଼ିଆ ସଂଘର୍ଷ ଏଥିରେ ପ୍ରତିଫଳିତ ହୋଇଛି।

ବାଗଦେବୀ ଲିଟରେଚର ଟ୍ରଷ୍ଟ୍, ଭୁବନେଶ୍ୱର କଳାକାରମାନଙ୍କ ଦ୍ଵାରା ପରିବେଷିତ ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ପ୍ରବୋଧ ରଥ ନିର୍ଦ୍ଦେଶନା ଦେଇଥିଲେ। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.