ଖଳା ନିର୍ମାଣରେ ଚାଷୀଙ୍କୁ ଅଣଦେଖା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚାଷୀଙ୍କ ପାଇଁ ଆସିଥିବା କଂକ୍ରିଟ ଖଳା ବିଜେପି ବିଧାୟକଙ୍କ ପାଖ ଲୋକଙ୍କ ମର୍ଜିରେ ନିର୍ମିତ ହେଉଛି। ଚାଷୀଙ୍କ ସୁବିଧାକୁ ମୋଟେ ଦୃଷ୍ଟି ଦିଆ ନଯାଇ ଠିକାଦାର ପୋଷା ନିତିରେ ଚାଲିଛି ଖଳା ନିର୍ମାଣ। ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଲକ ଅଞ୍ଚଳରେ ଚାଲିଛି ଜୋରଦାର ଚର୍ଚ୍ଚା ଆଲୋଚନା। ପ୍ରାପ୍ତ ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଚାଷିମାନଙ୍କ ପାଇଁ ଏକ କଂକ୍ରିଟ ଖଳା ଆସିଥିଲା। ଗ୍ରାମର ଚାଷୀମାନେ ସାମୁହିକ ସୁବିଧା ଦୃଷ୍ଟିରୁ ସ୍ଥାନ ନିରୂପଣ କରି ସେହି ସ୍ଥାନରେ ଖଳା ନିର୍ମାଣ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଖଳା ନିର୍ମାଣ କରୁଥିବା ଠିକାଦାର ଓ ବିଭାଗୀୟ କର୍ମଚାରୀ ଚାଷୀଙ୍କ କଥାକୁ ମୋଟେ କର୍ଣ୍ଣପାତ ନକରି ଧାନ ମଣ୍ଡି ହେବାକୁ ଥିବା ସ୍ଥାନରେ ନିଜ ମର୍ଜିରେ ଖଳା ନିର୍ମାଣ ଆରମ୍ଭ କରିଛନ୍ତି। ଏହାକୁ ଆରମ୍ଭରୁ ପଞ୍ଚାୟତର ଚାଷୀମାନେ ଘୋର ବିରୋଧ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ କାହାକୁ ଖାତିର ନକରି ଖଳା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଓ ଜନଶୁଣାଣୀ ଶିବିରରେ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହା ସହିତ ତହସିଲଦାରକୁ ମଧ୍ୟ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଚାଷୀମାନଙ୍କ ବୟାନ ଅନୁସାରେ, ସଂପୃକ୍ତ ଠିକା କରୁଥିବା ବ୍ୟକ୍ତି ଜଣକ ‘ମୁଁ ବିଧାୟକଙ୍କ ଲୋକ, ମୁଁ କାହାରିକୁ ଖାତିରି କରେନାହିଁ। ଏବେ ଆମ ସରକାର ଶାସନ ଚାଲିଛି ତେଣୁ ଆମ ମର୍ଜିରେ ସବୁ ହେବ’ ଇତ୍ୟାଦି କହିଥିବା ଅଞ୍ଚଳର କୃଷକମାନେ ବ୍ୟକ୍ତ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସଚେତନ ନାଗରିକ ଏହି ପ୍ରସଙ୍ଗରେ କହିଛନ୍ତି- ‘ଏଠାରେ ଦଳୀୟ ଲୋକ ବଡ଼, କୃଷକଙ୍କ ସ୍ବାର୍ଥ ଚୁଲିକୁ ଯାଉ।’ ସାଧାରଣ ଜନତା ଓ କୃଷକଙ୍କୁ ସୁନେଲି ସ୍ବପ୍ନ ଦେଖାଇ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁର୍ଗ ପତନ କରିଥିଲା ବିଜେପି। ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀବାସୀ ମଧ୍ୟ ବେଶ୍ ଉତ୍ସାହିତ ଥିଲେ। ନୂତନ ବିଧାୟକ କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେମାନଙ୍କ ବଦ୍ଧମୂଳ ଧାରଣା ଥିଲା। ଏବେ କିନ୍ତୁ ତାହା ତାସ୍ ପତା ପରି ଭୁଷୁଡିବାକୁ ଲାଗିଛି। କୃଷିଜୀବୀ ସମାଜର ଅନେକ ସମସ୍ୟାକୁ ଅଣଦେଖା କରି ଦଳୀୟ କର୍ମୀ ଓ ଠିକାଦାରଙ୍କ ସ୍ବାର୍ଥକୁ ଆଗ ପ୍ରାଧାନ୍ୟ ଦିଆଯାଉଥିବା ଚାଷୀ କହିଛନ୍ତି। ଯଦି ଏହି ନିତି ଆଗକୁ ଲାଗିରୁହେ ତେବେ ଏହା ଶାସକ ଦଳ ପ୍ରତି ଶୁଭଙ୍କର ହେବନାହିଁ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.