ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ଚାଷୀଙ୍କ ଫସଳ ନଷ୍ଟ ହୋଇଛି। ଏହାର କ୍ଷତିପୂରଣ ଦାବିରେ ମଙ୍ଗଳବାର କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ଚାଷୀ ନେତା ଶିବ ପ୍ରସାଦ ପ୍ରଧାନୀ ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଅଞ୍ଚଳର ଶତାଧିକ ଚାଷୀ ଏକଜୁଟ ହୋଇ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ କୃଷକ ସଚେତନ ମଞ୍ଚର ଉପସଭାପତି ଗରୁଡଧ୍ବଜ ମାଝୀଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଥିଲା। ଏହା ପୂର୍ବରୁ ଚାଷୀମାନେ ପୂର୍ବ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହଙ୍କ ସ୍ମୃତି ଉଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ। ପରେ ଚାଷୀମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଗତ ୨୪ ଓ ୨୫ ତାରିଖରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା କୋକସରା ବ୍ଲକରେ ୬୫ରୁ ୭୦ ମି.ମି ବର୍ଷା ହୋଇଛି। ଯାହାକି ଓଡ଼ିଶାରେ କୋକସରା ବ୍ଳକରେ ସର୍ବାଧିକ ବୃଷ୍ଟିପାତ ହୋଇଛି। ଫଳରେ ବିଲରେ ଥିବା ଅମଳକ୍ଷମ ଧାନ ତଥା ଅମଳ ହୋଇ ଖଳାରେ ପଡ଼ିଥିବା ଧାନ ଗଜା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଓ କିଛି ଧାନ ପାଣିରେ ପଡି ଡିସକଲର ହୋଇପଡିଛି। ତେଣୁ ଧାନ କ୍ରୟରେ ଯେଉଁ ଏଫ୍ଏକ୍ୟୁ ମାନ ନିର୍ଦ୍ଧାରିତ କରାଯାଇଛି ତାହାକୁ ସମ୍ପୂର୍ଣ୍ଣ କୋହଲ କରି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା, ଆଗାମୀ ରବି ଫସଳ ପାଇଁ ସମସ୍ତ ପ୍ରକାରର ବିହନ ଯୋଗେଇଦେବା, ମେଗା ଲିଫ୍ଟ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିବା, ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ସମ୍ବନ୍ଧୀୟ ସମସ୍ତ ଫିଜ ଛାଡ଼, ମଣ୍ଡିରେ ଚାଷୀ ମାନଙ୍କୁ ବିଭିନ୍ନ ହଇରାଣ ହରକତ କରିବା ବନ୍ଦ କରିବା, ଆର୍ ଏମସି କର୍ମଚାରୀ ତଥା ମିଲର୍ସ କର୍ମଚାରୀ ମାନଙ୍କ ଟାଲଟୁଲ ନିତି ପ୍ରତ୍ୟେକ ମଣ୍ଡିରେ ଚାଲିଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଧାନ ବିକ୍ରୀ ପାଇଁ ଅନଲାଇନ କରିଥିବା ଚାଷୀ ମାନଙ୍କର କେଉଁ ଆଧାରରେ ଟୋକନ ଆସିଛି ସାର୍ବଜନୀନ କରିବା ଆଦି ୧୧ ଗୋଟି ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ମୀନ କେତନ ପ୍ରଧାନୀ, ଜୟଲାଲ ନାଏକ, ଘନଶ୍ୟାମ ନାଏକ, ଧର୍ମବ୍ରତ ପଣ୍ଡା, ଚିନ୍ତାମଣି ପଟେଲ, କେଶବ ଚନ୍ଦ୍ର ନାଏକ, ଅରବିନ୍ଦ ପଟ୍ଟନାୟକ, ପ୍ରଧାନୀ ବାଗ, ନିମାଇଁ ଚରଣ ଧଙ୍ଗଡାମାଝି, ହରେକୃଷ୍ଣ ନାଏକ, ଦୁର୍ଗା ପ୍ରସାଦ ଚିନ୍ଦା, ମନିଜର ପୋଡ଼, କମଳାକାନ୍ତ ପଣ୍ଡା, ଜୟପାଲ ନାଏକ, ରାଜ କିଶୋର ସାହୁ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।