ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କର ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ପ୍ରଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣି ପଞ୍ଚାୟତର କାର୍ଯ୍ୟକରୀ ହେଉଅଛି।

ଆଜିର ଏହି ଉତ୍ସବରେ ଗଜପତି ଜିଲ୍ଲା-ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବାରା ତିରୁପତି ରାଓ ଓ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପାଣି ପଞ୍ଚାୟତ ଗଠନର ଆବଶ୍ୟକତା ସମ୍ପର୍କରେ କହି ଜଳର ସଂରକ୍ଷଣ, ତାର ସଦ ବିନିଯୋଗ ଓ ସୁପରିଚାଳନା କରିବା ସହ ପାଣି ପଞ୍ଚାୟତ ମାଧ୍ୟମରେ କୃଷି କାର୍ଯ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଚାଷ ଜମିକୁ ଯେଭଳି ଜଳସେଚିତ ହୋଇପାରିବ ସେଥିପାଇଁ ପାଣି ପଞ୍ଚାୟତ ପ୍ରତିନିଧି ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ ଶ୍ରୀ ସୁରେଶ କୁମାର୍ ପଟ୍ଟନାୟକ, ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ତୁଷାର ରଞ୍ଜନ ସାହୁ ଓ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟତଃ ଜିଲ୍ଲାର ସମସ୍ତ ବ୍ଲକ୍ ର ଚାଷୀ ପ୍ରମୁଖ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ସଚେତନତା କରାଇଥିଲେ। ଏହି ଅବସରରେ ଓଡିଆ ପ୍ରବନ୍ଧ, ଚିତ୍ରାଙ୍କନ , ସାଧାରଣ ଜ୍ଞାନ, ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଗଲା।


ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀ ଚିକିତ୍ସା, କୃଷି, ଉଦ୍ୟାନ, ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରା ଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଅନ୍ୟ ପକ୍ଷରେ କାର୍ଯ୍ୟକ୍ରମ ସ୍ଥଳରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜଳସେଚିତ ସମ୍ବନ୍ଧୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ମଞ୍ଚ ପରିଚାଳନା କରିଥିଲେ- ଜିଲ୍ଲା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ମୋହିତ ଆଚାର୍ଯ୍ୟ ଏବଂ ଜଳସେଚନ ଉପ-ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.