ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଲଳିତ ମୋହନ ଭୋଇ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଆଦିବାସୀ ଭାଷା ସାହିତ୍ୟ ବିଭାଗ ତରଫରୁ ‘ଆଦିବାସୀ ପ୍ରତିଭା’ ସମ୍ମାନରେ ସମ୍ମାନିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମସ୍କାଦାଣ୍ଡି ଗ୍ରାମର ଗୀତିକାର ତଥା କଣ୍ଠଶିଳ୍ପୀ ଲଳିତ ମୋହନ ଭୋଇ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ଅନେକ ଜନଜାତି ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଆଦିବାସୀ ମେଳାରେ ‘ଆଦିବାସୀ ପ୍ରତିଭା’ ସମ୍ମାନରେ ସମ୍ମାନୀତ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଶ୍ରୀ ଭୋଇଙ୍କୁ ଉପଢୌକନ, ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରି ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରିଥିଲେ। ଏଥିରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମସ୍କାଦାଣ୍ଡି ଗ୍ରାମର ଶ୍ରୀ ଭୋଇ ଏକାଧାରରେ ଜଣେ ସୁଶିକ୍ଷକ, ଲେଖକ, ଗୀତିକାର, କଣ୍ଠଶିଳ୍ପୀ, ତଥା ମଞ୍ଚ ଉଦଘୋଷକ ଭାବରେ ଜିଲ୍ଲା ତଥା ଜିଲ୍ଲା ବାହାରର ଜଣେ ଜଣାଶୁଣା ପ୍ରତିଭା। ତାଙ୍କର ଅନେକ ଲୋକଗୀତ ଓ ଆଧୁନିକ ଗୀତ ମୁକ୍ତିଲାଭ କରି ଜନ ସମାଜରେ ଆଦୃତ ହୋଇ ପାରିଛି। ଶ୍ରୀ ଭୋଇ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ଶିକ୍ଷାବିତ କ୍ଷୀତିଶ ଚନ୍ଦ୍ର ମାଝୀଙ୍କ ସମେତ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.