ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ୱର୍ଗତ ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ସୋନପୁର ମା ସୁରେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ସ୍ଥାନୀୟ ଘୋଡାଘାଟପଡ଼ା ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ‘ମା ଘର’ ର ଶୁଭାରମ୍ଭ କରାଯାଇଛି। ପ୍ରଫେସର ଦତ୍ତେଶ୍ୱର ହୋତାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ‘ମା ଘର’ ଶିବିରକୁ ଅବସରପ୍ରାପ୍ତ ବିଚାରପତି (ଓଡ଼ିଶା ହାଇକୋର୍ଟ) ଚିତ୍ତ ରଞ୍ଜନ ଦାଶ ଉଦ୍ଘାଟନ କରି ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଓ ଏ ମହତ୍ ସେବା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ପାଈଁ ଶୁଭଙ୍କର ଅଟେ ବୋଲି କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ମାଗଣାରେ ପରୀକ୍ଷା ଓ ଚିକିତ୍ସାର ସୁ-ବ୍ୟବସ୍ଥା ପାଇଁ ଏହି ‘ମା ଘର’ ର ଶୁଭାରମ୍ଭ କରଯାଇଛି। ପ୍ରଥମ ଦିନ ଏହି ଶିବିରରେ ସ୍ୱର୍ଗତ ଚିତ୍ତ ରଞ୍ଜନ ହୋତାଙ୍କ ପୈତୃକ ଗ୍ରାମ ତେଲେଣ୍ଡା ଓ ଜ୍ଞାନୀ ହୋତାଙ୍କ ପୈତୃକ ଗ୍ରାମ ସେଲେଡିର ୧୯୮ ଜଣ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରଯାଇଛି। ପ୍ରତିମାସ ଦ୍ବିତୀୟ ଶନିବାର ଓ ରବିବାର ଦିନରେ ଏହି ‘ମା ଘର’ ସୋନପୁରରେ ବିଭିନ୍ନ ଅଞ୍ଚଳର ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ତଥା ପ୍ରଫେସର ଡ଼ା. ଦତ୍ତେଶ୍ୱର ହୋତା ମିଡିଆଙ୍କୁ ପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁରର ସୁପର ସିନିୟର୍ ସିଟିଜେନ୍ ଡ଼ା. ରାଜେନ୍ଦ୍ର କୁମାର ମିଶ୍ର, ସୁଶ୍ରୀ ରେଣୁକା ମିଶ୍ର ଓ ବଳରାମ ମିଶ୍ରଙ୍କୁ ଏହି ଉତ୍ସବରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମ୍ବଲପୁରର ପୁର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ସୋନପୁରର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋରଞ୍ଜନ ତ୍ରୀପାଠୀଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଟ୍ରଷ୍ଟର ଶୁଭେଚ୍ଛୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ଶୈଳେନ୍ଦ୍ର ସାହୁ, ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ଅଭ୍ୟାଗତ ମହାପାତ୍ର, ସତ୍ୟନାରାୟଣ ତ୍ରୀପାଠୀ, ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ। ଆଜିର କ୍ୟାମ୍ପରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଓ ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗର ପ୍ରଫେସର ଯୋଗଦେଇ ରୋଗୀମାନଙ୍କୁ ଉତ୍ତମ ସେବା ପ୍ରଦାନ କରିଥିଲେ।