ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଭାଗିତାରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ସାଂସ୍କୃତିକ ଉତ୍ସବ ‘ଉନୁରୁମ୍’ର ତୃତୀୟ ସଂସ୍କରଣ ଜାନୁଆରୀ ୨୯ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ ପରିସରରେ ଆୟୋଜିତ ହେବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ଦିନର କାର୍ଯ୍ୟକ୍ରମଗୁଡ଼ିକ ମଧ୍ଯରେ ଉଦଘାଟନୀ ବୈଠକ ସହ ଚାରୋଟି କର୍ମଶାଳାର ଉଦଘାଟନ କରାଯିବ। ଛାତ୍ରଛାତ୍ରୀଙ୍କ ଦ୍ବାରା ପାରମ୍ପରିକ ଝୋଟିଚିତାର ପ୍ରତିଯୋଗିତା ସହ ହସ୍ତଶିଳ୍ପ ପ୍ରଦର୍ଶନ, ମିଶ୍ରଶାଳା, ପୁସ୍ତକ ପ୍ରଦର୍ଶନ, ପିଠାଘର, ବାଲେଶ୍ବରୀ ପାନ ଓ ବିଭିନ୍ନ ପ୍ରକାରର ଚିତ୍ରକଳା ପ୍ରଦର୍ଶନୀର କାର୍ଯ୍ୟକ୍ରମ ରହିଛି। ଏଥିସହ କିଛି ନୂତନ ପୁସ୍ତକ ଲୋକାର୍ପଣ ଓ ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଫକୀରମୋହନଙ୍କ କବିତାର ନୃତ୍ଯାୟନ, ଲୋକସଂଗୀତ, ଘୋଡାନାଚ, ଶ୍ରୀଲଙ୍କାର ଲୋକନୃତ୍ଯ, ବୋଡୋ ନାଚ, ଟାଗୋର ନୃତ୍ଯ, ତିଭା ବୋରତ ଆଦିବାସୀ ନୃତ୍ଯ, ଓ ମୁକାଭିନୟ ଭଳି ଭିନ୍ନ ସ୍ବାଦର କାର୍ଯ୍ୟକ୍ରମ ପରିବେଷଣ କରାଯିବ ।
ସୂଚନାଯାୟୀ, ଦ୍ବିତୀୟ ଦିନର କାର୍ଯ୍ୟକ୍ରମଗୁଡ଼ିକ ମଧ୍ଯରେ ଜନଜାତିଙ୍କ ଜୀବନୀ ଓ ସଂସ୍କୃତିକୁ ନେଇ କବିତାପାଠ ଉତ୍ସବରେ ୩୦ ଜଣ ସୁନାମଧନ୍ଯ କବି ଅଂଶଗ୍ରହଣ କରିବେ, ଲୋକସଂସ୍କୃତିର ଅତୀତ, ବର୍ତ୍ତମାନକୁ ନେଇ ଆଲୋଚନାଚକ୍ର ସହ ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ମଣିପୁରୀ, ରାଭା ନୃତ୍ଯ, ସାନ୍ତାଳୀ ନୃତ୍ଯ, ରବୀନ୍ଦ୍ରସଂଗୀତ, ଢେମସା ନୃତ୍ଯ, ମୁଣ୍ଡାରୀ ଓ ଅହମୀୟା ନୃତ୍ଯ ପରିବେଷଣ କରାଯିବ।
ଅନ୍ତିମ ତଥା ତୃତୀୟ ଦିବସରେ ଓଡ଼ିଶାର ଲୋକକାହାଣୀକୁ ନେଇ ଏକ ‘କାହାଣୀ ଉତ୍ସବ’ କରାଯିବ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଆସାମର ବିହୁ ନୃତ୍ଯ, ନାଗାଲାଣ୍ଡର ଲୋକନୃତ୍ଯ, ସମ୍ବଲପୁରୀ , ଖଞ୍ଜଣୀ ଭଜନଗାନ, ଘୁମୁରା ନାଚ, ମେଘାଳୟର ଲୋକନୃତ୍ଯ ଓ ମୁକ-ଅଭିନୟ ପରିବେଷିତ ହେବ।
ଫକୀରମୋହନ ସାହିତ୍ଯ ପରିଷଦ ତଥା ବିଭିନ୍ନ ସାହିତ୍ଯ ଓ ସାଂସ୍କୃତିକ ସଙ୍ଗଠନର ସଦସ୍ୟଗଣ ଏହି କାର୍ଯ୍ୟକ୍ରମର ବିଶିଷ୍ଟ ଅଂଶବିଶେଷ ଭାବେ ଉପସ୍ଥିତ ରହିବେ। ସୂଚନାଯୋଗ୍ଯ, ଉନୁରୁମ ଉତ୍ସବର ଏହି ସଂସ୍କରଣରେ ‘ମାଟିଘୋଡା’କୁ ପ୍ରମୁଖ ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ସୁଦୂର ବିଦେଶରୁ ଅତିଥି ଭାବେ ଯୋଗଦେବେ, ଜୟା ଶର୍ମା (ନେପାଳ), ସ୍ବେତାଲିନା ଗଡଲିନା ( ଋଷିଆ), ଚାନ୍ଦିନୀ କସ୍ତୁରୀ ଆରାଚି ( ଶ୍ରୀଲଙ୍କା) ।
ଏହାସହିତ ପ୍ରଦର୍ଶନୀ ଭିତ୍ତିକ ଲୋକକଳା ଆମନ୍ତ୍ରିତ ଅତିଥି ଡାଏନା ମହାପାତ୍ରଙ୍କ ନେତୃତ୍ବରେ କରାଯିବ ଓ ଆସାମର ବର୍ଣାଳୀ ଡେକା ଏଥିରେ ଯୋଗଦେବେ। ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଅନନ୍ୟ ସାଂସ୍କୃତିକ ମହାଉତ୍ସବର ମୁଖ୍ଯ ଉପଦେଷ୍ଟା କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏହି ତିନିଦିନିଆ ପର୍ବରେ ଯୋଗଦେବା ସହ ଏହାର ନିଆରାପଣକୁ ଅନୁଭବ କରିବା ପାଇଁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମର ଉପଦେଷ୍ଟା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ଆବାହକ ପ୍ରଫେସର ଦେବାଶିଷ ପାତ୍ର ବାଲେଶ୍ବର, ରେମୁଣା ଓ ନୀଳଗିରି ଅଞ୍ଚଳର ଜନସାଧାରଣଙ୍କ ଉତ୍ସାହଜନକ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ସଫଳ କରିବାନେଇ ଆଶାବ୍ୟକ୍ତ କରିଛନ୍ତି।