କଳା ଓ ସଂସ୍କୃତିର ବିକାଶ ହିଁ ଗୋଟିଏ ଜାତିକୁ ପୂର୍ଣ୍ଣାଙ୍ଗ ସଭ୍ୟ ଓ ଶିକ୍ଷିତ କରିଥାଏ, କହିଲେ ଅତିଥି
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ତ୍ରିଦିବସୀୟ ଆନ୍ତର୍ଜାତୀୟ ଉତ୍ସବ ‘ଉନୁରୁମ୍’ର ତୃତୀୟ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ମୁଣ୍ଡାରୀ ଶବ୍ଦ ‘ଉନୁରୁମ୍’ ଏକ ଅସ୍ମିତା ବୋଧର କଥା, ମୁଣ୍ଡାରୀ ଭାଷାରେ ଏହାର ଅର୍ଥ ‘ପରିଚିତି’। ଏହି କଳା, ସଂସ୍କୃତି ଓ ସାହିତ୍ୟର ପ୍ରତୀକ ‘ଉନୁରୁମ୍’ ଉତ୍ସବର ମୁଖ୍ୟ ପୃଷ୍ଠପୋଷାକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦଘାଟନୀ ସଭାରେ ଅଧ୍ୟକ୍ଷତା କରିଥିଲେ। ନିଜ ଅଭିଭାଷଣରେ, ଜୀବନରେ କଳା ଓ ସଂସ୍କୃତିର ସର୍ବାପେକ୍ଷା ଆବଶ୍ୟକତା ରହିଛି ତଥା ଉପଭୋଗ କରିବା ପାଇଁ ମଣିଷ ବାହାରେ ଏହାର ବିକଳ୍ପ ସନ୍ଧାନ ନକରି ନିଜ ଜୀବନକୁ ସଂପୂର୍ଣ୍ଣ ରୂପେ ଉପଭୋଗ କରିବାଛ ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କଳା ଈଶ୍ବରଙ୍କ ଅବଦାନ ଓ ଜୀବନରେ ସାଂସ୍କୃତିକ ଆଦାନପ୍ରଦାନର ପ୍ରାସଙ୍ଗିକତା ଓ ସାଂସ୍କୃତିକ ମୂଲ୍ୟବୋଧର ସଂରକ୍ଷଣ ଏହି ‘ଉନୁରୁମ୍’ ଆନ୍ତର୍ଜାତୀୟ ଉତ୍ସବର ପ୍ରଧାନ ଆଭିମୁଖ୍ୟ ବୋଲି ପ୍ରକାଶ କରିଥିଲେ।
ଏଥିରେ ବାଲେଶ୍ବର ସ୍ଥିତ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ପ୍ରଫେସର ସୁବାସ ଚନ୍ଦ୍ର ପାତ୍ର ମୁଖ୍ଯଅତିଥି ରୂପେ ଯୋଗଦେଇ ମାଟି ଓ ମା ଉଭୟେ ବିଶ୍ଵାସ ଓ ଭରସାର ପ୍ରତୀକ – ଏହା ଆମ ସାଂସ୍କୃତିକ ମୂଲ୍ୟବୋଧର ମୁଖ୍ୟ ଆଧାର ବୋଲି ମତ ଦେବା ସହିତ ଏହି ପ୍ରକାର ଉତ୍ସବ ଆତ୍ମ ଆବିଷ୍କାରର ମହାକୁମ୍ଭ ଯାହା ସଂସ୍କୃତି ଓ ଲୋକକଳାର ଗୁରୁତ୍ଵ ଉପରେ ଆଧାରିତ ଏବଂ କଳାର କୌଣସି ସୀମାରେଖା ନଥାଏ ବୋଲି କହିଥିଲେ।
ଏହି ପରିପ୍ରେକ୍ଷୀରେ ନେପାଳରୁ ଆସିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଜୟା ଶର୍ମା ବରେଣ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳା, ଲୋକକଳା ଓ ସଂସ୍କୃତିର ସଂରକ୍ଷଣ ହେବା ଉଚିତ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଏହି ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ନିଜ ବକ୍ତବ୍ୟରେ ଆଶାବ୍ୟକ୍ତ କରିବା ସହିତ କଳାକୁ ସମସ୍ତେ ଭଲ ପାଇବା ଉଚିତ, କଳାକୁ ସମ୍ମାନ ଦେବା ଉଚିତ ବୋଲି ମତ ଦେଇଥିଲେ।
ସେହିପରି ଶ୍ରୀଲଙ୍କାରୁ ଆସିଥିବା ବିଶିଷ୍ଟ ନୃତ୍ୟଶିଳ୍ପୀ ଚାନ୍ଦିନୀ କସ୍ତୁରୀ ଆରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳା ଓ ସଂସ୍କୃତିର ବିକାଶ ନହେଲେ କୌଣସି ଜାତି ସଭ୍ୟ କିମ୍ବା ପୂର୍ଣ୍ଣାଙ୍ଗ ଭାବରେ ଶିକ୍ଷିତ ହୋଇ ପାରିବ ନାହିଁ; କାରଣ ଆତ୍ମମୁକ୍ତିର ଶିକ୍ଷା ଏହି କଳା ଓ ସଂସ୍କୃତି ଜରିଆରେ ହିଁ ସମ୍ଭବ ହୋଇଥାଏ। ଏହି ଦୃଷ୍ଟିରୁ ‘ଉନୁରୁମ୍’ ଉତ୍ସବର ଆୟୋଜନ ବେଶ ପ୍ରାସଙ୍ଗିକ ଅଟେ ବୋଲି ସେ ପ୍ରକାଶ କରିଥିଲେ।
ଏହି ପରିପ୍ରେକ୍ଷୀରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏକ ସ୍ଵର୍ଣ୍ଣାଭ କାନ୍ଭାସ ଉପରେ ନିଜ ସାଂସ୍କୃତିକ ପରିଚୟର ଛାପ ଛାଡ଼ିବା ପାଇଁ ଏହି ‘ଉନୁରୁମ୍’ ହେଇଛି ଛାତ୍ରଛାତ୍ରୀ ତଥା କଳାନୁରାଗୀବର୍ଗଙ୍କ ପାଇଁ ଏକ ପ୍ରକୃଷ୍ଟ କ୍ଷେତ୍ର ବୋଲି ପ୍ରକାଶ କରିଥିଲେ। ଭାରତୀୟତା ତଥା ଉତ୍କଳୀୟତା ଆଧାରରେ ସଭ୍ୟତା ଓ ସଂସ୍କୃତି ଶବ୍ଦ ଦୁଇଟି ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ପ୍ରକୃତି ସହିତ, ଜୀବଜଗତ ସହିତ ମନୁଷ୍ୟର ସମ୍ପର୍କ ନିରୂପଣ କରି ଏକ ପ୍ରତିଶ୍ରୁତିବଦ୍ଧ ଜୀବନ ବଞ୍ଚିବାର କଳା ଶିଖାଇ ଆସିଛି। ସେହିପରି ଯୁଗରୁଚି ଓ ଆବଶ୍ୟକତା ଅନୁସାରେ ମଣିଷର ଚୈତ୍ତିକ ବିବର୍ତ୍ତନରେ ଉନୁରୁମ୍ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏହି ରୀତିରେ ଗୋଟିଏ ମଣିଷକୁ ଆଉ ଗୋଟିଏ ମଣିଷକୁ ଯୋଡ଼ିଦେଲେ ସାରା ବିଶ୍ଵ ଗୋଟିଏ ପରିବାର ହୋଇଯିବ ବୋଲି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡାକ୍ତର ଚୌଧୁରୀ ସତ୍ଯବ୍ରତ ନନ୍ଦ ମତ ଦେଇଥିଲେ। ‘ଉନୁରୁମ୍’ ର ପ୍ରାସଙ୍ଗିକତା ଓ ଉପଯୋଗୀତା ଦର୍ଶାଇ ଏକ ଆଞ୍ଚଳିକ ମନୁଷ୍ୟ ନିକଟରେ ଥିବା ସାର୍ବକାଳିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନର ମଳିନତା ଓ ଆବିଳତାକୁ ପରିଷ୍କାର କରି ଏକ ନିରୁତା ଜୀବନ ବଞ୍ଚିବାର ପ୍ରେରଣା ସଂସ୍କୃତି ପ୍ରଦାନ କରିଥାଏ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।
ଏଥିରେ ସ୍ନାକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ରହି ‘ଉନୁରୁମ୍’ କେବଳ ଏକ ଉତ୍ସବ ନୁହେଁ ବରଂ ଏହା ଅନେକ ଉତ୍ସବର ଏକ ମଞ୍ଜୁଳ ସମାହାର ବୋଲି କହିଥିଲେ। ଏହି ଉତ୍ସବ ଆଧାରରେ ବିଭିନ୍ନ କର୍ମଶାଳାର ଆୟୋଜନ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ସ୍ଥାନୀୟ କଳା ଓ ସଂସ୍କୃତିର ଗୁରୁତ୍ତ୍ଵ ଓ ବ୍ୟାବହାରିକତାକୁ ପ୍ରାଧାନ୍ୟ ଦେଇ ସେସବୁକୁ ବିଶ୍ଵମୂଲ୍ୟବୋଧ ତଥା ସାମୂହିକ ଆବଶ୍ୟକତା ସହିତ ଯୋଡ଼ିବାର ପ୍ରୟାସ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀମତୀ କୁକୁମୀନା ଦାସ ଏହି ଅବସରରେ ସଂସାରରେ କେହି ଚିରଦିନ ବଞ୍ଚିରହେ ନାହିଁ କିନ୍ତୁ ଦେଶ, ଜାତି ଓ ସଂସ୍କୃତି ପାଇଁ ମଣିଷ ଯେଉଁ ମୂଲ୍ୟବୋଧ ବିକଶିତ କରିଥାଏ ତାହା ସବୁ କାଳରେ ଜୀବିତ ରହିଥାଏ ବୋଲି ମତ ଦେଇଥିଲେ। ବିଶେଷତଃ ‘ଉନୁରୁମ୍’ରେ ଚିତ୍ରକଳା ପ୍ରଶିକ୍ଷଣ ଓ ପ୍ରଦର୍ଶନୀ ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଛି। ଏହାଦ୍ଵାରା ଜୀବନ ଗଠନ କ୍ଷେତ୍ରରେ ବିଦ୍ୟାର୍ଥୀ ଓ କଳାପ୍ରେମୀ ବ୍ୟକ୍ତିବିଶେଷ ବିଭିନ୍ନ ଭାବରେ ଉପକୃତ ହୋଇଆସୁଛନ୍ତି। ଏହି ଉତ୍ସବର ଉଦ୍ଘାଟନୀ ଅଧିବେଶନରେ ଦେଶ ଓ ବିଦେଶରୁ ଶିଳ୍ପୀ ଓ କଳାକାରବୃନ୍ଦ ଯୋଗଦେଇଛନ୍ତି। ଚଳିତ ବର୍ଷ ‘ଉନୁରୁମ୍’ର ଏକ ବଡ଼ ବିଶେଷତ୍ଵ ହେଉଛି ଏଥିରେ ବାଲେଶ୍ଵରର ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୨୦ଟି ଅନୁଷ୍ଠାନ ଚିତ୍ରକଳା ପ୍ରଦର୍ଶନ ନିମିତ୍ତ ଆଗ୍ରହ ପ୍ରକାଶ କରିଛନ୍ତି। ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ତଥା ‘ଉନୁରୁମ୍’ର ସଂଯୋଜକ ତଥା ଆବାହକ ପ୍ରଫେସର ଦେବାଶିଷ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଏହି ଆନ୍ତର୍ଜାତୀୟ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତଦେଇ ସଂସ୍କୃତି ଓ ପରମ୍ପରାର ମାନନୀୟ ମୂଲ୍ୟବୋଧ, ପ୍ରତିଟି ସହୃଦୟ ବ୍ୟକ୍ତିକୁ ଅନୁରଗୀ କରାଇଥାଏ ବୋଲି ମତ ଦେଇଥିଲେ।
ଏଥିସହିତ ଉନୁରୁମ ଲୋଗୋ ଖଚିତ ଟିସାର୍ଟ ଓ ଟୋପି ଉନ୍ମୋଚନ କରାଯାଇଥିଲା। ଅଧ୍ୟାପିକା ଡ଼କ୍ଟର ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ଅଧ୍ୟାପକ ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ୩୧ ଜାନୁଆରୀରେ ଏହି ଉତ୍ସବ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରାଫ୍ଟମେଳା, ପୁସ୍ତକମେଳା, ପିଠାଘର, କବିତା ଆସର, କାହାଣୀ ଉତ୍ସବ ଇତ୍ୟାଦି ଜରିଆରେ କଳା ଓ ସଂସ୍କୃତିର ବିକାଶ ଓ ମୂଲ୍ୟବୋଧ ସୁରକ୍ଷା ପ୍ରତି ପ୍ରୟାସ କରାଯାଇଛି ବୋଲି ଆୟୋଜକ କର୍ତୃପକ୍ଷ ପ୍ରକାଶ କରିଛନ୍ତି। ଫକୀରମୋହନ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ସ୍ବାଗତ ଜଣାଇ ଏହି ଉତ୍ସବରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।