ପାତାଳୀ ଶ୍ରୀକ୍ଷେତ୍ର ଠାରେ ପାତାଳୀ ମହୋତ୍ସବ ଉଦଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପବିତ୍ର ପୀଠ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇଠାରେ ୨୦ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିବା ସହ ନିଜର ସାଂସ୍କୃତିକ ବାର୍ତ୍ତା ରଖିଥିଲେ।

ଜିଲ୍ଲାପାଳ ଶ୍ରୀମତୀ ଦାସ ତାଙ୍କ ବକ୍ତବ୍ୟରେ ଖୁବଶୀଘ୍ର ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିବା ସହ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ। ସମସ୍ତ ଭକ୍ତ ତଥା ଜନସାଧାରଣ କାୟ ମନ ବାକ୍ୟରେ ନିଜର ସହଯୋଗ ସହ ଏହି ମହତ ତଥା ପବିତ୍ର ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ କହିଥିଲେ। ସେ ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ରରେ ଅନଲାଇନ ପେମେଣ୍ଟ ସିଷ୍ଟମର ଶୁଭାରମ୍ଭ ମଧ୍ୟ କରିଥିଲେ।

ପାତଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ ମହାରଣା, ଉଲୁଣ୍ଡା ବିଡ଼ିଓ କରିସ୍ମା ବେଶ୍ରା, ବୀରମହାରାଜପୁର ବିଡ଼ିଓ ରାଜୀବ ହାଁସଦା ଯୋଗ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ମକୁନ୍ଦ ଧରୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆଜି ପ୍ରଥମ ଦିନରେ ସ୍ଥାନୀୟ କଳାକାର ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ତଥା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ୫୬ ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ଆଦିର ଶୁଭାରମ୍ଭ ହୋଇଯାଇଛି।

ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନର ମହାନ ପାର୍ବଣର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହାମିଳନର ପାତାଳୀ ମହୋତ୍ସବ। ୩୦ ଜାନୁୟାରୀରୁ ଏହା ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ହେବ। ଶ୍ରୀକ୍ଷେତ୍ର ପୁରୀର ପବିତ୍ର ରାମଜୀ ମଠ ମହନ୍ତ ଶ୍ରୀ ଶ୍ରୀ ବଂଶୀଧର ଦାଶ ମହାରାଜଙ୍କ ନେତୃତ୍ବରେ ୫୬ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନ ଅବସରରେ ମହାପ୍ରଭୁଙ୍କ ପ୍ରଭୁକୃପା ତଥା ଆଶୀର୍ବାଦ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.