ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ୱାରା ଜିଲ୍ଲା ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃମିନାଶକ ଦିବସ ପାଳନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲାରେ ଆସନ୍ତା ୧୦ ଫେବୃୟାରୀ ୨୦୨୫ ତାରିଖ ଦିନ ଜାତୀୟ ସ୍ତରରେ କୃମିନାଶକ ଦିବସ ପାଳନ କରାଯିବ। ଯେଉଁମାନେ ୧୦ ତାରିଖ ଦିନ ଔଷଧ ଖାଇବାରୁ ବଞ୍ଚିତ ରହିବେ ତାଙ୍କୁ ୧୭ ଫେବୃୟାରୀ ମପ୍ ଅପ୍ ରାଉଣ୍ଡରେ ଔଷଧ ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଆମ ସୁବର୍ଣ୍ଣପୁର ଜିଲ୍ଲାର ୧,୭୭,୨୦୨ ହିତାଧିକାରୀ ଆଲବେଣ୍ଡାଜୋଲ ଔଷଧ ଖାଇବେ । ଏହାମଧ୍ୟରୁ ୧ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ୧,୬୫,୨୬୭ ଜଣ ଶିଶୁ ଓ କିଶୋର ଏବଂ ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୧,୯୩୫ ଜଣ ପ୍ରଜନନକ୍ଷମ ମହିଳା ରହିଛନ୍ତି । ସନ୍ତାନ ପ୍ରଜନନକ୍ଷମ ମହିଳାଙ୍କ ମଧ୍ୟରେ ଥ‌ିବା ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ । ଆମ ଜିଲ୍ଲାର ୧୦୫୭ ଟି ସରକାରୀ ଓ ବେସରକାରୀ ସ୍କୁଲ/ମହାବିଦ୍ୟାଳୟ, ୧୫୧୬ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଔଷଧ ମାଗଣାରେ ପ୍ରଦାନ କରିବାର ସୁବ୍ୟବସ୍ଥା କରାଯାଇଅଛି। କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଓ ସୁଚାରୁ ସମ୍ପାଦନ ପାଇଁ ୯୨ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ, ୬୪୦ ଜଣ ଆଶାକର୍ମୀ ତଥା ୧୫୧୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ଆବଶ୍ୟକ ତାଲିମ ସହ ଔଷଧ ସେବନ କରାଇବାକୁ ନିୟୋଜିତ କରାଯାଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଗୁରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ସେବନ କରାଯିବାକୁ ଥିବା ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ରହିଥିବା ତଥା ଏହି ଔଷଧ ଖାଇବା ଦ୍ବାରା ଶିଶୁର ରକ୍ତହୀନତା ଦୂର ହେବା ସହ ଶିଶୁର ପୌଷ୍ଟିକ ବୃଦ୍ଧି ହେବ ‌ଏବଂ ସ୍କୁଲ ଓ ଅଙ୍ଗନବାଡିରେ ଉପସ୍ଥାନ ବଢିବ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏହି ଅବସରରେ କୃମି ମୁକ୍ତ ସୁବର୍ଣ୍ଣପୁର ପାଇଁ ଜିଲ୍ଲାର ସମସ୍ତ ଅଭିଭାବକ, ଜନସାଧାରଣ ତଥା ଗଣମାଧ୍ଯମ ପ୍ରତିନିଧୂ ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଏହି ସଂମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଭି ଭି ଡି ଡ଼ଃ ଗୋପାଳ ଚନ୍ଦ୍ର ମଲ୍ଲିକ, ଡିପିଏମ ଏନଏଚଏମ ବିଶ୍ୱମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଏଡିପିଏଚସିଓ ବୃନ୍ଦାବନ ସାହୁ, ଡିଏମଆରସିଏଚ ସୁଧାଂଶୁ ଶେଖର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଜିଲ୍ଲା ହିସାବ ପରିଚାଳକ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.