ମନ୍ତ୍ରୀଙ୍କ ପାଖ ଲୋକ କହି ଠକେଇ କରିବା ପଡିଲା ମହଙ୍ଗା: ଜେଲ ଗଲେ ଅଭିଯୁକ୍ତ; ବଦଳି, ଚାକିରୀ ପଦୋନ୍ନତି ପାଇଁ ନେଉଥିଲା ଲକ୍ଷାଧିକ ଟଙ୍କା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ନିଜକୁ ମନ୍ତ୍ରୀ, ନେତା ଙ୍କ ପାଖ ଲୋକ କହି ଠକେଇ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଲୋଇସିଂହା ପୋଲିସ। ଉକ୍ତ ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଅ ଗାଁ(ଖ) ନିକଟସ୍ଥ ଦାସପାଲି ଗ୍ରାମର ଜିତେନ୍ଦ୍ର ଦାସ। ଜିତେନ୍ଦ୍ର ନିଜକୁ ମନ୍ତ୍ରୀଙ୍କ ଲୋକ କହି ଡାକ୍ତରଖାନାରେ ଚାକିରୀ, ବଦଳୀ, ପଦୋନ୍ନତି ସହ ଠିକା କାମରେ ସହଯୋଗ କରିବାର ପ୍ରତିଶୃତି ଦେଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଉଥିବା ନେଇ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ଲୋଇସିଂହା ପୋଲିସ ଜିତେନ୍ଦ୍ରକୁ ବରଗଡ଼ରୁ ଗିରଫ କରି ଅଧିକ ଖୋଳତାଡ଼ କରିବା ସହ ୩୭/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ଯିବାକୁ ପଡିଛି। ସୂଚନା ମୁତାବକ ଅଭିଯୁକ୍ତ ଜିତୁର ମନ୍ତ୍ରୀ ନେତାଙ୍କ ସହ ଫଟୋ ହେବା ସଉକ ଥିଲା। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀଙ୍କୁ ଭେଟି ସେହି ସମୟର ଫଟୋ ସାମାଜିକ ଗଣମାଧ୍ୟମ ରେ ସେୟାର କରି ନିଜେ ମନ୍ତ୍ରୀଙ୍କ ପାଖଲୋକ ବୋଲି ଲୋକଙ୍କୁ ପ୍ରଲୋଭିତ କରୁଥିଲା। ଏପରିକି ଲୋଇସିଂହାର ଜଣେ ବ୍ୟକ୍ତିଙ୍କ ଠାରୁ ସରକାରୀ ଡାକ୍ତରଖାନାରେ ଚାକିରୀ ରେଗୁଲାର କରିଦେବି ବୋଲି କହି ଏକ ଲକ୍ଷ କୋଡିଏ ହଜାର ଟଙ୍କା ନେଇଥିବା ବେଳେ ସାଲେଭଟା ଅଂଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକାଅଶି ହଜାର ଟଙ୍କା ନେଇଥିଲା। ନୟାଗଡ ଅଂଚଳର ଜଣେ ନରସିଂ ଅଫିସରକୁ କେପିଟାଲ ହସ୍ପିଟାଲକୁ ବଦଳି କରିଦେବି କହି ଦୁଇଟି ପର୍ଯାୟରେ ଫୋନ ପେ’ରେ ପଚାଶ ହଜାର ଟଙ୍କା ନେଇଥିଲା। ନୟାଗଡର ନରସିଂ କର୍ମଚାରୀଙ୍କ ବଦଳି ମାମଲା ରେ ସରକାରୀ ଲୋଗୋ ଲାଗିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନାଁରେ ଥିବା ଲେଟର ପେଡ ବ୍ୟବହାର ହୋଇଛି। ତେବେ ତାହା ଅସଲି ନାଁ ନକଲି ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.