ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘ଶ୍ରୀଧରସ୍ଵାମୀ ଜୀବନ ଓ ସୃଜନ’ ଶୀର୍ଷକ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ବବିଦ୍ୟାଳୟର ଫକୀର ମୋହନ ସାହିତ୍ୟଘର ଓ ଶ୍ରୀଧରସ୍ଵାମୀ ସ୍ମୃତି ପରିଷଦ, ମୟୂରଗ୍ରାମ, ରେମୁଣାର ମିଳିତ ଆନୁକୁଲ୍ୟରେ ‘ଶ୍ରୀଧରସ୍ଵାମୀ ଜୀବନ ଓ ସୃଜନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଦିବସ ବ୍ୟାପୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଏହାର ଆୟୋଜନ କରାଯାଇଥିଲା। ନିଜ ଅଭିଭାଷଣରେ ଶ୍ରୀଧରସ୍ଵାମୀଙ୍କ ଜୀବନୀ ସାଂପ୍ରତିକ ସମାଜରେ ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ ହେବା ଆବଶ୍ୟକ ବୋଲି, କୁଳପତି ମତପ୍ରକାଶ କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଏଥିରେ ଉପସ୍ଥିତ ରହି ନିଜ ବକ୍ତବ୍ଯ ରଖିଥିଲେ। ଏହି ପରିପ୍ରେକ୍ଷୀରେ ଡ଼କ୍ଟର ଭାଗବତ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀଧରସ୍ଵାମୀ ଭାରତୀୟ ତଥା ଉତ୍କଳୀୟ ସଂସ୍କୃତିକୁ ବିଶ୍ୱାୟିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଥିଲେ। ଏହି ଆଲୋଚନାଚକ୍ରର ସମ୍ମାନିତ ଅତିଥି ବିଜୟ କୁମାର ମହାକୁଡ଼ ଶ୍ରୀଧରସ୍ଵାମୀ ସର୍ବପ୍ରଥମେ ବ୍ୟାସକୃତ ଭାଗବତର ସର୍ବୋତ୍କୃଷ୍ଟ ଟୀକା ପ୍ରସ୍ତୁତ କରି ବିଶ୍ବବନ୍ଦନୀୟ ହେବାର ଗୌରବ ଅର୍ଜନ କରିଛନ୍ତି ଏବଂ ଓଡ଼ିଆ ମାନଙ୍କର ସମ୍ମାନ ବୃଦ୍ଧି କରିଛନ୍ତି ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ମୁକ୍ତିଲତା ଆଇଚ ଶ୍ରୀଧର ସ୍ଵାମୀଙ୍କର ପବିତ୍ର ଜନ୍ମଭୂମୀ ମୟୂରଗ୍ରାମର ଗୁରୁତ୍ବ ଓ ଶ୍ରୀଧରସ୍ଵାମୀଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ସଂସ୍କୃତ ବିଭାଗର ପ୍ରଫେସର ସୁବାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଜି ସୂର୍ଯ୍ୟଙ୍କର ସ୍ଵନକ୍ଷେତ୍ର ଦିବସ, ଏହି ତିଥିରେ ସୂର୍ଯ୍ୟଦେବ ପ୍ରଥମେ ନିଜର ଆଲୋକ ପ୍ରକାଶିତ କରିଥିଲେ ତଦୃପ ଶ୍ରୀଧରସ୍ୱାମୀ ଏହି ମାଘ ସପ୍ତମୀ ତିଥିରେ ଜନ୍ମଗ୍ରହଣ କରି ଧରାପୃଷ୍ଠରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ବିକିରଣ କରିବା ସଦୃଶ ମହତ୍ କାର୍ଯ୍ୟ କରି ଭାରତ ତଥା ଓଡ଼ିଶା ଓ ରେମୁଣା ମାଟିକୁ ଧନ୍ୟ କରିଛନ୍ତି ବୋଲି ପ୍ରକାଶ କରିବା ସହିତ ପୂନର୍ଜନ୍ମ ଦୁଃଖରୁ ମୁକ୍ତିଲାଭର ସୂତ୍ର ହିଁ ଶ୍ରୀଧରସ୍ୱାମୀଙ୍କ ଟୀକାର ସାରାଂଶ ବୋଲି ମତ ଦେଇଥିଲେ। ଏଥିରେ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଉଜ୍ବଳ ଓ ପବିତ୍ର କର୍ମ କିପରି ଜୀବନକୁ ମହାନତାର ସ୍ତରକୁ ଉନ୍ନୀତ କରାଇଥାଏ ତାହା ଶ୍ରୀଧରସ୍ଵାମୀଙ୍କ ଜୀବନୀରୁ ପ୍ରେରଣା ଲାଭ କରିବା ଏହି ଆଲୋଚନାଚକ୍ରର ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶେଷରେ ଅଧ୍ୟାପକ ଡ଼କ୍ଟର ପ୍ରହ୍ଲାଦ ଖିଲ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଶ୍ରୀଧରସ୍ୱାମୀ ସ୍ମୃତି ପରିଷଦ ତରଫରୁ ଅଶୋକ କୁମାର ପୁରୀଙ୍କୁ ‘ଶ୍ରୀଧରସ୍ଵାମୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ଓ ଶ୍ରୀମତୀ ମୁକ୍ତିଲତା ଆଇଚଙ୍କ ରଚିତ ପୁସ୍ତକ ‘ବିଶ୍ଵବନ୍ଦିତ ଟୀକାକର ଜଗଦଗୁରୁ ଶ୍ରୀଧରସ୍ଵାମୀ’ ଲୋକାର୍ପିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.