ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଫେବୃୟାରୀ ୧୦ ରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃମିନାଶକ ଦିବସ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଶୁଭାରମ୍ଭ ଅବସରରେ ଉକ୍ତ ସ୍କୁଲର ସମୁଦାୟ ୧୭୨ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୬୩ ଜଣ ଏହି ଔଷଧ ସେବନ କରିଛନ୍ତି । ଯେଉଁମାନେ ଆଜି ୧୦ ତାରିଖ ଦିନ ଔଷଧ ଖାଇବାରୁ ବଞ୍ଚିତ ରହିବେ ତାଙ୍କୁ ୧୭ ଫେବୃଆରୀରେ ମପ୍ଅପ୍ ରାଉଣ୍ଡରେ ଔଷଧ ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଆମ ଜିଲ୍ଲାର ୧,୭୭,୨୦୨ ହିତାଧିକାରୀ ଆଲବେଣ୍ଡାଜୋଲ ଔଷଧ ଖାଇବେ । ଏହା ମଧ୍ୟରୁ ୧ ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ୧,୬୫,୨୬୭ ଜଣ ଶିଶୁ ଓ କିଶୋର ଏବଂ ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ୧୧,୯୩୫ ଜଣ ପ୍ରଜନନକ୍ଷମ ମହିଳା ରହିଛନ୍ତି। ସନ୍ତାନ ପ୍ରଜନନକ୍ଷମ ମହିଳାଙ୍କ ମଧ୍ୟରେ ଥ‌ିବା ଗର୍ଭବତୀ ଓ ପ୍ରସୂତି ମାନେ ଏହି ଔଷଧ ଖାଇବେ ନାହିଁ। ଆମ ଜିଲ୍ଲାର ୧୦୫୭ଟି ସରକାରୀ ଓ ବେସରକାରୀ ସ୍କୁଲ ମହାବିଦ୍ୟାଳୟ, ୧୫୧୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କୃମି ନାଶକ ଔଷଧ ମାଗଣାରେ ପ୍ରଦାନ କରିବାର ସୁବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଓ ସୁଚାରୁ ସମ୍ପାଦନ ପାଇଁ ୯୨ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ, ୬୪୦ ଜଣ ଆଶାକର୍ମୀ ତଥା ୧୫୧୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ଆବଶ୍ୟକ ତାଲିମ ସହ ଔଷଧ ସେବନ କରାଇବାକୁ ନିୟୋଜିତ କରାଯାଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଗୁରୁ ସୂଚନା ପ୍ରଦାନ କରିଛନ୍ତି । ସେବନ କରାଯିବାକୁ ଥିବା ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ରହିଥିବା ତଥା ଏହି ଔଷଧ ଖାଇବା ଦ୍ବାରା ଶିଶୁର ରକ୍ତହୀନତା ଦୂର ହେବା ସହ ଶିଶୁର ପୌଷ୍ଟିକ ବୃଦ୍ଧି ହେବା ସହିତ ସ୍କୁଲ ଓ ଅଙ୍ଗୱାଡ଼ିରେ ମଧ୍ୟ ଉପସ୍ଥାନ ବଢିବ। କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କୃମି ମୁକ୍ତ ସୁବର୍ଣ୍ଣପୁର ପାଇଁ ଜିଲ୍ଲାର ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର, ପ୍ରଧାନ ଶିଷୟିତ୍ରୀ ମୀନାକ୍ଷୀ ନାୟକ, ଏଡିପିଏଚସିଓ ବୃନ୍ଦାବନ ସାହୁ, ଡିଏମ ଆରସିଏଚ ସୁଧାଂଶୁ ଶେଖର ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଜିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ ସାହୁ, ଏଏମସିପି ତରଣିସେନ୍ ପ୍ରଧାନ, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.