ଡାବୁଗାଁ ପାରମ୍ପରିକ ମାଘ ମଣ୍ଡେଇର ଇତିହାସ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ଓଡିଶା ଓ ଛତିଶଗଡ ରାଜ୍ୟ ଦକ୍ଷିଣ ସୀମାନ୍ତ ଜିଲ୍ଲା ଅଭିବାକ୍ତ କୋରାପୁଟ ଏବଂ ଅଭିଭକ୍ତ ବସ୍ତର ଜିଲ୍ଲାରେ ବହୁଳ ମାତ୍ରା ରେ ହାଲବା, ଗୋଣ୍ଡ, ମାଡିଆ, ଭତ୍ରା ଆଦି ଜନଜାତି ସମ୍ପ୍ରଦାୟ ର ଲୋକ ବାସ କରନ୍ତି। ଏମାନଙ୍କ ଜୀବନ ଶୈଳୀ ନିଆରା। ବଣଜଙ୍ଗଳ ଘେରା ଛୋଟ ଛୋଟ ଗାଁ ମାନଙ୍କରେ କୃଷି ଉପରେ ନିର୍ଭର କରି ଚଳନ୍ତି। ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ଦେବଦେବୀଙ୍କୁ ଆଦିବାସୀ ହିନ୍ଦୁ ପାରମ୍ପରିକ ଵୈଳୀରେ ଉପାସନା କରନ୍ତି। ସନାତନୀ ହିନ୍ଦୁଧର୍ମ ପୁରାଣରେ ବର୍ଣିନା କରାଯାଇଥିବା ୩୩କୋଟି ଦେବଦେବୀ ଏମାନଙ୍କ ଆରାଧ୍ୟ। ଋତୁ ଅନୁଯାୟୀ ଜୀବନକୁ ସାରସ ସୁନ୍ଦର କରିବା ପାଇଁ ଅନେକ ପର୍ବ ପାଳନ କରନ୍ତି। ଆଧୁନିକତା ର ସ୍ବର୍ଶରେ ଦିଆଲି, ପାଉଶପୁର୍ଣିମା ଭଳି କେତେକ ପର୍ବପର୍ବାଣିର ରଙ୍ଗ ଫିକା ପଡିଆସିଲାଣି। କିନ୍ତୁ ନିଜ ନିଜ ଗାଁରେ ପାଳନ କରାଯାଉଥୁବା ବାର୍ଷିକ ଯାତ୍ରା, ମଣ୍ଡେଇ ଆଦି ପରମ୍ପରାକୁ ବଜାଇ ରଖିବାରେ ସାମର୍ଥ୍ୟ ହୋଇ ପାରିଛି।

ଅବିଭକ୍ତ କୋରାପୁଟ ତଥା ବସ୍ତର ଜିଲ୍ଲାର ଅଧିକାଂଶ ଅଂଚଳ ରେ ବର୍ତ୍ତମାନ ମଧ୍ୟ “ମଣ୍ଡେଇ”ଏକ ପ୍ରଧାନ ଗଣ ପର୍ବ ଅଟେ।ବଜାରକୁ ମଣ୍ଡି କୁହାଯାଏ ଏହି ମଣ୍ଡି ଶବ୍ଦରୁ “ମଣ୍ଡେଇ” ଶବ୍ଦର ଉତ୍ପତି। ହାଟ ବସୁଥିବା କୌଣସି ଗାଁର ଏକ ନିର୍ଦ୍ଧିଷ୍ଟ ମାସରେ ଏକ ହାଟ ଦିନକୁ ଗ୍ରାମ୍ୟ ଦେବଦେବୀକୁ ସମର୍ପିତ କରାଯାଏ। ଏହାକୁ ବାର୍ଷିକ ମଣ୍ଡେଇ ଭାବେ ପାଳନ କରାଯାଏ। ଯାହାକି ଭାରତ ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ। ମଣ୍ଡେଇ ଯାତ୍ରା ବିଭିନ୍ନ ଗାଁରେ ପୌଷମାସରେ ଆରମ୍ଭ ହୁଏ ଯଥା ନବରଙ୍ଗପୁର ଜିଲ୍ଲାର କଟାଗାଁ, କଲାକଲି, ଆଟିଗାଁ, ଉମରଗାଁ, କୋରପାହାଣ୍ଡି ଏବଂ ଛତିଶଗଡର ଅମାରାବତୀ ଠାରେ। କିନ୍ତୁ ମାଘ ମଣ୍ଡେଇ କେବଳ ପଡାଗଡ଼, ଡାବୁଗାଁ, କୋଷଗୁମଡା ରେ ହୁଏ ଏବଂ ଫାଲ୍ଗୁନ ମାସରେ ଧଡ୍ରା ଓ ଚୈତ୍ର ମାସରେ ଭାରଣ୍ଡ ଠାରେ କଲସିଯାତ୍ରା ଅବସରେ ପାଳିତ ହୁଏ। ପଡାଗୋଡ଼ ଏବଂ ଡାବୁଗାଁ ମଣ୍ଡେଇ ବାବା ଭୈରବ ଲାଗି ସମର୍ପିତ। ରାଜା ରାଜୁଡା କାଳରୁ ଆଜକୁ ପ୍ରାୟ ୩୦୦/୪୦୦ବର୍ଷ ତଳେ ଐତିହାସିକ ଗଣ୍ଡୱାନା ରାଜ୍ୟର ଅନ୍ୟ ଏକ ଗଦଜାତ ରତନପୁର, ଯାହା ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୧୪୭କିମି ଦୂରରେ ଅବସ୍ଥିତ। ସେହି ରତନପୁର ରାଜ ପରିବାରର ୩ଜଣ ଭାଇ ପାରିବାରିକ କଳହ କାରଣରୁ ଦକ୍ଷିଣକୁ ଚାଲି ଆସିଥିଲେ ଏବଂ କିଛିବର୍ଷ ପଡାଗଡ଼ ଠାରେ ଅବସ୍ଥାନ କରିଥିଲେ। ଏହି ପୂର୍ବରୁ ପୋଡାଗୋଡ଼ର ନାମ ଥିଲା ପୁଷ୍କରଣୀ ଗୋଡ଼। ସେମାନେ ଏହି ସ୍ଥାନର ନୂତନ ନାମକରଣ ନିଜ ପୌତ୍ରୀକ ବାସସ୍ଥଳୀ ରତନପୁର ଆଗରେ ନିଜ ସାଙ୍ଗିଆଁ “ରାୟ” ଶବ୍ଦ ଯୋଡି ଏହାକୁ “ରାୟ ରତନପୁର” କରିଥିଲେ, ପରେ ଏହି ଗୋଡ଼ ପଡିଯିବାରୁ ଏହାର ନାମ ପୋଡାଗୋଡ଼ ହେଲା।

ଏହାର କିଛି ବର୍ଷପରେ ରାୟ ବଂଶୀୟ ମାନେ ଡାବୁଗାଁ ଅଂଚଳକୁ ଚାଲି ଆସିଥିଲେ। ତତ୍କାଳୀନ ଜୟପୁର ରାଜା ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଆସିଥିବା ସଂଭ୍ରାନ୍ତ ବଂଶୀୟ ମାନଙ୍କୁ ପାତ୍ର ଉପାଧି ଦେଇଥିଲେ ଏବଂ କେତେଖଣ୍ଡ ଗାଁ ଦେଇ ସେମାଙ୍କୁ ଜମିଦାର ଭାବେ ନିଯୁକ୍ତ କରୁଥିଲେ। ବର୍ତ୍ତମାନ ମଧ୍ୟ ସେମାନଙ୍କ ବଂଶଧାର ମାନେ ଡାବୁଗାଁ ରେ ବସବାସ କରୁଛନ୍ତି। ବାବା ଭୈରବ ଭଗବାନ ଶିବଙ୍କ ପ୍ରଚଣ୍ଡ ରୁଦ୍ରାବତାର ଅଟନ୍ତି। ସେହି ରାୟ ବଂଶୀୟ ମାନେ ରତନପୁର ଠାରେ ଭୈରବଙ୍କ ଉପାସକ ଥିଲେ। ତେଣୁ ସେମାନେ ଯେଉଁଠି ଗଲେ ସେଠାରେ ବାବା ଭୈରବଙ୍କୁ ସ୍ଥାପନା କରୁଥିଲେ। ପୋଡାଗଡା ଏବଂ ଡାବୁଗାଁର ଭୈରବ ଆସ୍ଥାନ ସେମାନଙ୍କ ଦ୍ୱାରା ସ୍ଥାପିତ। ତେଣୁ ଦୁଇଟି ସ୍ଥାନର ମଣ୍ଡେଇ ପରସ୍ପର ସମ୍ପୃକ୍ତ। ଆଗ ପୋଡାଗୋଡ଼ରେ ମଣ୍ଡେଇ ହେବା ପରେ ଡାବୁଗାଁ ରେ ମଣ୍ଡେଇ ହେଉଥିଲା। ଯାହାକି ଏବେ ବ୍ୟତିକ୍ରମ ହେଉଥୁବା ଦେଖାଯାଉଛି। ଡାବୁଗାଁ ମଣ୍ଡେଇ ମାଘ ମାସର କୌଣସି ଏକ ଗୁରୁବାର ହାଟକୁ ଲକ୍ଷରଖି ନିର୍ଧାରିତ କରାଯାଏ। ବୁଧବାର ଠାରୁ ଆରମ୍ବ ହୋଇ ଶୁକ୍ରବାର ଦିନ ପର୍ଯ୍ୟନ୍ତ ଚାଲେ। ଆଗେ ଆଖ ପାଖ ଅଂଚଳରୁ ଶତାଧିକ ଲାଠି, କୁରୁଚି, ପାଲିଙ୍କି, ଶିରା, ପୂଜାରୀ ବାଜଣା ଆସୁଥିଲେ। କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଛି।

ଡାବୁଗାଁ ମଣ୍ଡେଇର ବିଶେଷତ୍ୱ ହେଲା ମଣ୍ଡେଇ ବୁଧବାର ଦିନ କୁନ୍ଦ ଫୁଲ ବାବା ଭୈରବଙ୍କୁ ଅର୍ପଣ କରିବା ପରେ ଗାଁ ର ମାଁ ଭଉଣୀ ମାନେ ଏହି ଫୁଲକୁ ପିନ୍ଧନ୍ତି। ଆଗ ଗାଁ ଗହଳିରେ ଦୋକାନ ବଜାର ନଥିଲା, ଲୋକେ ଘରକରଣୀ ଜିନିଷ କିଣିବାକୁ ସାପ୍ତାହିକ ହାତକୁ ଯାଉଥିଲେ। ସେହି ପ୍ରକାରେ ବାର୍ଷିକ ହାଟ ମଣ୍ଡେଇ ରେ ବହୁ ଦୂର ଦୁରାନ୍ତରୁ ଦୋକାନ ବଜାର ଆସୁଥିଲା।ଡାବୁଗାଁ ହାଟର ଆରମ୍ବ ପ୍ରଥମେ ଗାଁ ଭିତରେ ଦୁଲାରଦେଇ ମନ୍ଦିର କୋଳସୀ ଛାମୁଣ୍ଡା ପାଖ “ଆଡରି” ବା ଦୈନିକ ବଜାର ନିକଟରେ ଆରମ୍ବ ହୋଇଥିଲା। ଡାବୁଗାଁ ଏକ ସ୍ୱତନ୍ତ୍ର ଗ୍ରାମ ପଂଚାୟତ ହେବା ପରେ ଡାବୁଗାଁ ର ପ୍ରଥମ ସରପଞ୍ଚ ସ୍ବର୍ଗତ ଲଷ୍ମୀଚନ୍ଦ୍ର ରାୟ ପାତ୍ରଙ୍କ ଅମଳରେ ପ୍ରାୟ ୧୯୫୯ ମସିହାରେ ବର୍ତ୍ତମାନର ହାଟପଦାକୁ ସ୍ଥାନାନ୍ତରିତ ହୋଇ ପାଖାପାଖି ଯାହାକି ଆଜକୁ ୭୦ବର୍ଷ ହେବ ସେଠାରେ ହାଟ ବସୁଛି। ଏବଂ ବର୍ଷକୁ ଥରେ ମାଘ ମାସରେ ବାବା ଭୈରବ ଙ୍କ ପୂଜା ପରେ ମଣ୍ଡେଇ ହାଟ ଅନୁଷ୍ଠିତ ହୁଏ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.