ଦିନରେ କବାଡି କାମ ରାତିରେ ଚୋରୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ସଦର ପୁଲିସ ହାବୁଡରେ ପଡିଛନ୍ତି ବିଦ୍ୟୁତ ତାର ଚୋର। ବଲାଙ୍ଗିର ଜିଲ୍ଲାରୁ ଏକ ବଡ ଧରଣର ଚୋରୀ କରି ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବାବେଳେ ବଲାଙ୍ଗିର ପୁଲିସ ସେମାନଙ୍କୁ ଧରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଗାଜିଆବାଦର ଜାବେଦ ମଲ୍ଲିକ, ଫୈଜଲ ମଲ୍ଲିକ ଓ ସମ୍ବଲପୁର ମୋଦୀପଡାର ଶିବ ଶର୍ମା। ସେମାନଙ୍କ ଠାରୁ ୫୩ ବଣ୍ଡଲ ବିଦ୍ୟୁତ ତାର ଜବତ କରାଯାଇଛି ଯାହା ୬ କିମି ଲମ୍ବ ହେବ ବୋଲି କୁହାଯାଉଛି। ଚୋରୀ କରିଥିବା ତାର ରାୟପୁର ଚାଲାଣ କରିବାକୁ ପ୍ରସ୍ତୁତ କରାଯାଉଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିବା ବଲାଙ୍ଗିର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଦର ଥାନା ଅର୍ନ୍ତଗତ ଜାମୁଟିଆ, ସିନ୍ଦୁବାହାଲ, ଦୁଆନପାଲି ଅଞ୍ଚଳରୁ ବ୍ୟାପକ ପରିମାଣରେ ୩୩ କେଭି ବିଦୁ୍ୟତ ତାର ଚୋରୀ ହେଉଥିବା ଅଭିଯୋଗ ହୋଇଥିଲା। ପୁଲିସ ଏକ ଚୋରୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ଘଟଣାରେ କିଛି ଆନ୍ତଃରାଜ୍ୟ ଚୋର ସାମିଲ ଥିବା ଜାଣିବାକୁ ପାଇଥିଲା। ଚୋରମାନେ ଦିନବେଳା କବାଡି କାମ କରି ରାତିରେ ଚୋରୀ କରୁଥିଲେ। ଚୋରୀ କରିଥିବା ସାମଗ୍ରୀକୁ ବଲାଙ୍ଗିର ସହରର ଉଦୟନଗର ଠାରେ ଥିବା ଏକ ଘରେ ରଖୁଥିଲେ। ବିଦ୍ୟୁତ ତାରକୁ ରାୟପୁର ଚାଲାଣ କରିବାକୁ ସେମାନେ ପ୍ରସ୍ତୁତି କରୁଥିବାବେଳେ ସଦର ପୁଲିସ ମାଡିବସିଥିଲା। ବିଦ୍ୟୁତ ତାର ଜବତ କରିବା ସହିତ ଚୋର ମାନଙ୍କୁ ଗିରଫ କରିଥିଲା। ତେବେ ଜବତ ହୋଇଥିବା ତାରର ଆନୁମାନିକ ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଅଭିଯୁକ୍ତ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.