ଶ୍ରମିକ ଉପରେ ଚଢ଼ିଗଲା କାର, ଚାଲିଗଲା ଜୀବନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ହାଇଦ୍ରାବାଦରୁ ଦାଦନ ଖଟି କିଛି ରୋଜଗାର କରିବା ପରେ କେତେ ହସ ଖୁସିରେ ଘରକୁ ଫେରୁଥିଲେ। ହେଲେ କିଏ ଜାଣିଥିଲା, ଅଧା ବାଟରେ ଶ୍ରମିକଙ୍କ ଉପରେ କାର ଚଢ଼ିଯାଇ ଚାଲିଗଲା ଏକ ଅମୂଲ୍ୟ ଜୀବନ। ଏଭଲି କିଛି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆମପାଣି ବସଷ୍ଟାଣ୍ଡ ନିକଟରେ। ମୃତ ଯୁବକ ଜଣକ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଧରଣୀବାହାଲ ଗ୍ରାମର ରମେଶ ଠାକୁର (୨୮) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ରମେଶ ହାଇଦ୍ରାବାଦରୁ ଏକ ବସ ଯୋଗେ ଆସି ଆମପାଣି ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ଏବଂ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଅନ୍ୟ ଏକ ବସକୁ ଅପେକ୍ଷା କରିଥିଲେ। ଠିକ୍ ଏହି ସମୟରେ ନବରଙ୍ଗପୁର ପଟୁ ଆସୁଥିବା ଏକ କାର (ଓଡି୦୮ ୱାଇ ୨୮୪୧) ଗାଡ଼ିଟି ରମେଶଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ରମେଶ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.