୨୮ତମ ଗ୍ଲୋରୀଫେଷ୍ଟରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୁରୀ ସ୍ଥିତ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଠାରେ ଅନୁଷ୍ଠିତ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ / ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ତଥା ୨୮ତମ ‘ଗ୍ଲୋରୀଫେଷ୍ଟ-୨୦୨୫’ରେ ଆୟୋଜିତ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ପୁନଃ ସଫଳତାର କାହାଣୀ ଲେଖିଛନ୍ତି। ଚଳିତ ମାସ ୧୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଜାତୀୟ ସାଂସ୍କୃତିକ ମହୋତ୍ସବରେ ଭାରତର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଓ ମହାବିଦ୍ୟାଳୟରୁ ଅଂଶଗ୍ରହଣ କରିଥିବା ୩୦୦ ପ୍ରତିଯୋଗୀଙ୍କ ମଧ୍ଯରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ୧୨ ଜଣ ଛାତ୍ରଛାତ୍ରୀ, ୧୫ଟି ବିଭାଗର ବିଭିନ୍ନ ପ୍ରତିଯୋଗିତାମାନରେ ଭାଗ ନେଇଥିଲେ।

ଏଥିରେ ସ୍ପଟ୍ ଚିତ୍ରାଙ୍କନ ପ୍ରତିଯୋଗିତାରେ ୟଗ୍ନଜିତ ପାଣି ତୃତୀୟ ସ୍ଥାନ, ଶାସ୍ତ୍ରୀୟ ନୃତ୍ୟରେ ଅଭିଲିପ୍ସା ମହାନ୍ତି ତୃତୀୟ ସ୍ଥାନ, କମେଡ଼ି ପ୍ରତିଯୋଗିତାରେ ରଞ୍ଜିତା ବେହେରା ଦ୍ବିତୀୟ ସ୍ଥାନ, ଏକକ ସଂଗୀତ ଗାନରେ ଲକ୍ଷ୍ମୀପ୍ରିୟା ପରିଡ଼ା ତୃତୀୟ ସ୍ଥାନ, ଏକକ ଅଭିନୟ ନାଟକରେ ରଞ୍ଜିତା ବେହେରା ତୃତୀୟ ସ୍ଥାନ ଓ ଦଳଗତ ଲୋକନୃତ୍ଯ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଉଦଯାପନୀ ଉତ୍ସବରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ତଥା ଡ଼କ୍ଟର ଅସୀମ ଅମିତାଭ ପ୍ରଧାନଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଛନ୍ତି । ଏହି ସଫଳତା ହେତୁ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଭିନନ୍ଦନ ଜ୍ଞାପନ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସୂଚନାଯୋଗ୍ଯ ଯେ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ବିଗତ ବର୍ଷରେ ମଧ୍ଯ ଗ୍ଲୋରୀଫେଷ୍ଟରେ ସଫଳତାର ପାହାଚ ଅତିକ୍ରମ କରିଥିଲା। ଡ଼କ୍ଟର ଅଭୟ ନାୟକଙ୍କ ପ୍ରତ୍ୟକ୍ଷ ସହଯୋଗରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବାକୁ ସକ୍ଷମ ହୋଇପାରିଛନ୍ତି।
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଛାତ୍ରଛାତ୍ରୀଙ୍କ ଏହି ସଫଳତା ଶ୍ରେୟ ସେମାନଙ୍କର ନିଜ ଉପରେ ଦୃଢ଼ ବିଶ୍ବାସ ଓ ଶୃଙ୍ଖଳିତ ଅଭ୍ୟାସ ବୋଲି ପ୍ରକାଶ କରି ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.