ନୋସି ସ୍ଥିତ ‘ଉତ୍କଳା’ରେ ଅନୁଷ୍ଠିତ ହେଲା ‘ଖାସ୍ ତୁମ ପାଇଁ’ ଶୀର୍ଷକ ନିଆରା ସାଂସ୍କୃତିକ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଗତ ବର୍ଷ ପରି ଗତ ୧୪ ତାରିଖ ସନ୍ଧ୍ୟାରେ ରେମୁଣା ସ୍ଥିତ ନୋସି ବିଜିନେସ୍ ପାର୍କରେ ଥିବା ‘ଉତ୍କଳା’ ମୁକ୍ତମଞ୍ଚରେ ନୋସି କଲଚ୍ୟୁରାଲ ଏକାଡେମି ଦ୍ୱାରା ଏକ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବ ଚୌଧୁରୀଙ୍କ ସୁକନ୍ୟା ତଥା ଗାନ୍ଧିବାଦୀ କ୍ରିଷ୍ଣା ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡ଼ିଶାର କଳା ସଂସ୍କୃତି ବିଷୟରେ ଆଲୋକପାତ କରିଥିବା ବେଳେ ଭବିଷ୍ୟତର କଳାକାର ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ‘ନୋସି’ର ଉପସଭାପତି ତଥା ପରିବେଶବିତ୍ ସୁବ୍ରତ ନାୟକ, ସମାଜସେବୀ ପ୍ରଦୀପ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ନୋସି କଲଚ୍ୟୁରାଲ ଏକାଡେମିର ମୁଖ୍ୟ ଶିଳ୍ପୀ କେଶୁଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଅତନୁ କୁମାର, କୁମାର ଜୀବନ, ରଶ୍ମିରେଖା ମହାପାତ୍ର, ଏକାଦଶୀ ବର୍ମନ, ରୂପାଲି ସିଂ, ଦୁର୍ଗେଶ୍ବରୀ ସିଂ, ରଜନୀ ରାଣୀ ମଲ୍ଲିକ, ସାଇ ପ୍ରତୀକ୍ଷା, ଭୂମୀଷ୍ଠା, ଅନୁଷ୍କା ରୋମାଞ୍ଚକର ନୃତ୍ୟଗୀତ ପରିବେଷଣ କରିଥିଲେ। କବି ଦମ୍ପତି ଦେବାଶିଷ ସିଂହ ଓ ତୃପ୍ତିରାଣୀ ପାତ୍ର କବିତାର ଯୁଗଳ ବନ୍ଦୀ କରିଥିବା ବେଳେ ପ୍ରଶାନ୍ତ ସାହୁ ମାଉଥ ଅର୍ଗାନ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ। ସମସ୍ତ କଳାକାରଙ୍କୁ ଅତିଥି ମାନଙ୍କ ଦ୍ବାରା ପ୍ରଶଂସା ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରା ଯାଇ ସମ୍ମାନିତ କରାଯାଇଥିଲା। କୁମାର ସତ୍ୟମ୍ ଆସରକୁ ସଂଯୋଜନା କରିଥିବା ବେଳେ
କାର୍ଯ୍ୟକ୍ରମକୁ ନୋସିର ରୁଦ୍ର ପ୍ରସାଦ ବଳ, ପ୍ରଶାନ୍ତ ବେହେରା, ରିଘବ ବିଶ୍ବାଳ, ଶଶାଙ୍କ ସାହୁ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.