ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କଟକ ସ୍ଥିତ ଗାନ୍ଧୀ ଭବନରେ ଶ୍ରୀଜଗନ୍ନାଥ ଚାରଣ ଗୋଷ୍ଠୀର ପଞ୍ଚମ ବାର୍ଷିକୋତ୍ସବ ପାଳନ ଅବସରରେ ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ଯକ୍ଷ ଚୈତନ୍ୟ ପ୍ରସାଦ ବେହେରାଙ୍କୁ ତାଙ୍କ ଉଚ୍ଚକୋଟୀର ସାହିତ୍ୟ ଓ ସଙ୍ଗୀତ ସାଧନା ପାଇଁ ‘କୈବଲ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀ ବେହେରା ୪୭ ବର୍ଷ ଧରି ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ସାଧନାରେ ବ୍ରତୀ ଅଛନ୍ତି। ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, ଗୀତିନାଟ୍ୟ ନିର୍ଦ୍ଦେଶକ, କବି, ଗୀତିକାର ଭାବେ ଖ୍ଯାତି ଲାଭ କରିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଉପସ୍ଥାପକ ତଥା ଉଦ୍ଘୋଷକ ଭାବେ ଶ୍ରୋତା ଓ ଦର୍ଶକଙ୍କ ମଧ୍ୟରେ ଶ୍ରୀ ବେହେରା ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ଶ୍ରୀ ବେହେରାଙ୍କ ସାମଗ୍ରୀକ କୃତି ପାଇଁ ତାଙ୍କୁ ପ୍ରସାର ଭାରତୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସେ ଦୁଇଶହରୁ ଅଧିକ ସମ୍ମାନର ଅଧିକାରୀ ହୋଇଛନ୍ତି। ସଂପ୍ରତି ସେ ‘ଉତ୍କଳବାଣୀ’ ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ଅଛନ୍ତି।