ସତ୍ଯାନୁସନ୍ଧାନ ହେଉଛି ସାମୂହିକ ଶିକ୍ଷାର ମୂଳାଧାର -ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତ ପ୍ରସଙ୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ମିଳିତ ସହଯୋଗରେ ‘ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତ’କୁ ମୁଖ୍ଯପ୍ରସଙ୍ଗ ନେଇ ଏକ ତିନିଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ବାଲେଶ୍ବରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମିଳନୀର ମୁଖ୍ଯ ଉଦଘାଟକ ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତ ଅତିଥିଗଣ, ଗବେଷକ, ବିଶେଷଜ୍ଞ, ଶିକ୍ଷାବିତ ତଥା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ଅତ୍ୟନ୍ତ ତଥ୍ୟାଶ୍ରୟୀ ତଥା ଜ୍ଞାନଗର୍ଭକ ଉଦବୋଧନ ଦେଇଥିଲେ।

ସେ ଭାରତର ପ୍ରାଚୀନ ପରମ୍ପରାରେ ଥିବା ଶିକ୍ଷା ପ୍ରଣାଳୀ, ଚିକିତ୍ସା ବିଜ୍ଞାନ, ଆଧ୍ୟାତ୍ମିକ ଓ ବିଜ୍ଞାନର ପାରସ୍ପରିକ ସମ୍ପର୍କ, ଭାରତୀୟ ମୌଳିକ ସିଦ୍ଧାନ୍ତ, ବୈଦିକ ଜ୍ଞାନର ସଂରକ୍ଷଣ, ଭାରତୀୟ ଭାଷାଗୁଡ଼ିକର ସ୍ଥିତି ଓ ଭବିଷ୍ୟତ ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଜ୍ଞାନାର୍ଜନ ହେଉଛି ପ୍ରତ୍ୟେକ ବିଦ୍ୟାର୍ଥୀର ମୌଳିକ ଅଧିକାର, ଏଣୁ ଭାରତର ବିକଶିତ ଓ ସମୃଦ୍ଧ ଜ୍ଞାନ ବିଜ୍ଞାନର ପ୍ରଣାଳୀକୁ ନେଇ ଅଧ୍ୟାପନା, ଗବେଷଣା, ପ୍ରଚାର ତଥା ପ୍ରସାରକୁ ଅଧିକ ଯତ୍ନଶୀଳ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମୁଖ୍ଯବକ୍ତା ଭାବେ ଭୁବନେଶ୍ବର ସ୍ଥିତ ଏକାମ୍ର ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର ଓ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଆଲ୍ଲାହାବାଦ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ଅନୀଲ ପ୍ରତାପ ଗିରି ଯୋଗଦେଇ ଭାରତର ପରିବର୍ତ୍ତନଶୀଳ ଜ୍ଞାନ ଆହରଣ ପରମ୍ପରା ତଥା ପ୍ରଣାଳୀ ସଂପର୍କରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। ଭାରତୀୟ ଶିକ୍ଷା ବ୍ୟବସ୍ଥା ମୁଖ୍ଯତଃ ଜ୍ଞାନ, ବିଜ୍ଞାନ ଓ ଆତ୍ମଜ୍ଞାନ ଉପରେ ଆଧାରିତ ଓ ବେଦ ସମସ୍ତ ଜ୍ଞାନର ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ନୂତନ ଶିକ୍ଷାନୀତିରେ ଭାରତୀୟ ଶିକ୍ଷା ପଦ୍ଧତି ସକ୍ରିୟ ରଖିବାକୁ ପ୍ରୟାସ କରାଯିବାର ଆଶାପୋଷଣ କରିଥିଲେ। ସାମୂହିକ ଶିକ୍ଷା ବ୍ୟବସ୍ଥାରେ ଗବେଷଣା ଓ ପରୀକ୍ଷଣକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ରକୁ ଆଗକୁ ବଢାଇବାକୁ କୁଳପତି ପ୍ରଫେସର ତ୍ରିପାଠୀ ଆହ୍ବାନ ଦେଇଥିଲେ। ସମ୍ମିଳନୀର ସ୍ବାଗତ ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗ ସମ୍ପର୍କରେ ପ୍ରଫେସର ଦେବାଶିଷ ପାତ୍ର ଅବଗତ କରିଥିଲେ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ପରିଚାଳିତ କରିଥିଲେ ଓ ଶେଷରେ ସଂସ୍କୃତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.