କବି ଧନଞ୍ଜୟ ସ୍ବାଇଁ ପାଇବେ ପ୍ରଥମ ‘ହୋରାଇଜନ୍ ବୁକର୍‌ ଆୱାର୍ଡ଼ –୨୦୨୫’ : ‘ପ୍ରଜାପତି’ ଅନୁଷ୍ଠାନ ପକ୍ଷରୁ ହେଲା ଘୋଷଣା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ର ‘ହୋରାଇଜନ୍’ ଆମ ଓଡ଼ିଆ ଭାଷା ସାହିତ୍ୟ ସହିତ ଅନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ଭାଷା ସାହିତ୍ୟକୁ ଛାତ୍ରଛାତ୍ରୀ ଏବଂ ପାଠକମାନଙ୍କ ସହିତ ଯୋଡ଼ିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ‘ହୋରାଇଜନ୍’ ପକ୍ଷରୁ ଚଳିତବର୍ଷ ଠାରୁ ଆରମ୍ଭ ହୋଇଥିବା ‘ହୋରାଇଜନ୍ ବୁକର୍ ଆୱାର୍ଡ଼–୨୦୨୫’ କବି ଧନଞ୍ଜୟ ସ୍ଵାଇଁ ତାଙ୍କ କବିତା ପୁସ୍ତକ ‘ତୁମ ଗାଁ ବର୍ଷା’ ପାଇଁ ପାଇବାକୁ ମନୋନୀତ ହୋଇଛନ୍ତି।

କବି ଶ୍ରୀ ସ୍ଵାଇଁଙ୍କର ‘ମିଠା ଜହ୍ନରାତି’, ‘ଅଶିଣ ଜହ୍ନର ଗୀତ’, ‘ତୁମ ଗାଁ ବର୍ଷା’, ‘ଲୁହ ଲଫାପାର ଚିଠି’ ଓ ‘କଅଁଳ ଖରାର ଝୋଟି’ ପ୍ରଭୃତି ୧୪ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଅଛି। ସେ ମଧ୍ୟ ‘ପ୍ରଜାତନ୍ତ୍ର କବିତା ସମ୍ମାନ’, ‘ମାନସିଂହ କବିତା ସମ୍ମାନ’ ଓ ‘ଗୋକର୍ଣିକା ସାହିତ୍ୟ ସମ୍ମାନ’ ଭଳି ଅନେକ ସମ୍ମାନ ଲାଭ କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ବ୍ୟତୀତ ଅନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତି ତାଙ୍କର ରୁଚି ଓ ଶ୍ରଦ୍ଧା ରହିଛି।

ଆସନ୍ତା ମାର୍ଚ୍ଚ ୧୨ ତାରିଖ ସନ୍ଧ୍ୟାରେ ବାଲେଶ୍ଵର ସ୍ଥିତ ‘ଆତିଥ୍ୟ ଭବନ’ରେ ଅନୁଷ୍ଠିତ ହେବାକୁ ଥ‌ିବା ‘ହୋରାଇଜନ୍’ ଉତ୍ସବରେ ତାଙ୍କୁ ନଗଦ ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ତଥା ‘ହୋରାଇଜନ୍ ବୁକର୍ ଆୱାର୍ଡ଼– ୨୦୨୫’ ପ୍ରଦାନ କରାଯାଇ ସମ୍ମାନିତ କରାଯିବ ଏକ ପ୍ରେସ୍ ବିବୃତିରେ ଘୋଷଣା କରାଯାଇଛି।

ଚଳିତବର୍ଷ ମଧ୍ଯ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଭାଷା ସାହିତ୍ୟ ପ୍ରତି ଶ୍ରଦ୍ଧା ସୃଷ୍ଟି କରିବା ପାଇଁ ପ୍ରଥମଥର ‘ହୋରାଇଜନ୍ ଡ୍ରିମ୍-୨୦୨୫’ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ଦୁଇଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥୁବା ଛାତ୍ରୀ ଆଦ୍ୟାଭାର୍ଗବୀଙ୍କୁ ତାଙ୍କ ଲିଖିତ ଇଂରାଜୀ କବିତା ପୁସ୍ତକ ‘ଲାଇଫ୍ ଆରୋମା’ ଓ ଏମ୍‌ବିଏ ଅଧୟନ କରୁଥିବା ଛାତ୍ରୀ ଜସ୍ମିନ୍‌ଜ୍ୟୋତିଙ୍କୁ ତାଙ୍କ ଲିଖିତ ଇଂରାଜୀ ଗଳ୍ପ ପୁସ୍ତକ ‘ସେ ଇଏସ୍ ଟୁ ଲାଇଫ୍’ ପାଇଁ ଏହି ‘ହୋରାଇଜନ୍ ଡ୍ରିମ୍- ୨୦୨୫’ ପୁରସ୍କାର ପ୍ରଦାନ କରାଯିବ ବୋଲି ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.