ଦେବଗିରିରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା

ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲା ଗଗନ ପବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଟବିକ ଓ ମହାକାନ୍ତାର ସଭ୍ୟତାର ମୁକସାକ୍ଷୀ ଦେବଗିରିରେ ପାରମ୍ପାରିକ ରିତି ନିତି ଅନୁସାରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଳିତ ହୋଇଛି। ଏନେଇ ଉତ୍ସବମୁଖର ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରର ଦେବଗିରି ମଠ। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ଡ଼. ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୁଧବାର ପ୍ରାତଃ ୩.୩୦ ରୁ ଦ୍ବାରଫିଟା, ଆରତୀ, ମଇଲମ, ସୂର୍ଯ୍ୟପୂଜା, ହୋମ ଯଜ୍ଞ, ଚଣ୍ଡିପାଠ ଆଦି ପର୍ଯ୍ୟାୟକ୍ରମେ ହେବା ସହ ଦିନ ତମାମ ଶିବ ଉପାସନା ଚାଲିଥିଲା। ରାତିରେ ଶହ ଶହ ମହିଳା ଭକ୍ତମାନେ ଉଜାଗର ରହି ଗୁମ୍ଫା ମଧ୍ୟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରି ଜାଗର ଯାତ୍ରା ପାଳନ କରୁଛନ୍ତି। ହର ହର ମହାଦେବ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା। ନର୍ଲା ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେବଗିରି ପାହାଡ଼ର ଗୁମ୍ଫା ମଧ୍ୟରେ ଥିବା ଶିବ ଲିଙ୍ଗ ଓ କେତେକ ମୁର୍ତ୍ତି ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀର ବୋଲି ଆକଳନ କରାଯାଇଛି। ଦେବଗିରି ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ ପୀଠସ୍ଥଳୀ ଭାବେ ଖ୍ୟାତ। ତେବେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ମହାଶିବରାତ୍ରୀ ଉପଲକ୍ଷେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଭାବେ ନର୍ଲା ବ୍ଲକର ବିଲାଟ, କେରାଣ୍ଡିଖୁଣ୍ଟି, ନର୍ଲାରୋଡ, ତୁଲାପଡା, ନର୍ଲା, ସେରଗଡ, ଛତିକୁଡା, ଖମ୍ବପଡା, ସାନଗୁଣ୍ଡରୀ, ସରିଆଁ ଆଦି ଅନେକ ଶୈବପୀଠରେ ହର୍ଷୋଲ୍ଲାସର ସହ ମହାଶିବରାତ୍ରୀ ପାଳିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.