ଭବାନୀପାଟଣା ଠାରେ ପ୍ରଭୁ ଚିତ୍ରଗୁପ୍ତଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ; ଯୋଗଦେଲେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି କରଣ ସମାଜ ପକ୍ଷରୁ ଭବାନୀପାଟଣା ଠାରେ ପ୍ରଭୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଗୁରୁବାର ଦିନ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ସଦର ଭବାନୀପାଟଣା ବିଧାୟକ ଅନାମ ନାଏକ ଯୋଗଦେଇଥିଲେ।  ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସମାଜର ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ସଭାନେତ୍ରୀ ସୁଶ୍ରୀ ସବିତା ପଟ୍ଟନାୟକ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଗଣ ଉପସ୍ଥିତ ରହିଥିଲେ।

ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିଗଣ ସମାଜର ମୁଖପତ୍ର “ଚିତ୍ରାଂଶ” କୁ ଉନ୍ମୋଚନ କରିଥିଲେ। ପରିଶେଷରେ ସବିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସନ୍ଧ୍ୟା ୫ଘଣ୍ଟା ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସମାଜର ଶହ ଶହ ମହିଳା ଓ ପୁରୁଷମାନେ ମାତ୍ରାରେ କଳସ ଯାତ୍ରାରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ। ଏହାପରେ ସମାଜ ଭବନ ଠାରେ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ପରିବେଷିତ ହୋଇଥିଲା।

ପୂଜାବିଧି ଅନୁଯାଇ ଅଙ୍କୁରା ରୋପଣ କରାଯାଇଥିଲା ଏବଂ ପରିଶେଷରେ ପ୍ରୀତିଭୋଜନର ବ୍ୟବସ୍ଥା କରାଯାଇଥିଲା। ଆଜି ପ୍ରଥମ ଦିନରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସମାଜର ସମସ୍ତ କର୍ମକର୍ତ୍ତା  ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଭୁ ଚିତ୍ରଗୁପ୍ତଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.