ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଛତାମଖନା ମହାବିଦ୍ୟାଳୟ ପରିସରରେ ସଡକ ସୁରକ୍ଷା, ମୋଟର ଯାନ ନିୟମ, ମୋଟର ଦୁର୍ଘଟଣା କ୍ଷତି ପୂରଣ, ନାଗରିକଙ୍କର ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟ ଭଦ୍ରବ୍ୟକ୍ତିମାନଙ୍କୁ ସଡକ ସୁରକ୍ଷା, ମୋଟର ଯାନ ଆଇନ ତତସହିତ ଦୁର୍ଘଟଣା ସମୟରେ ଡ୍ରାଇଭର, ଉପସ୍ଥିତ ବ୍ୟକ୍ତି, ପଥିକ, ପୋଲିସ ବିଭାଗ ଓ ଚିକିତ୍ସା ବିଭାଗର ଦାୟିତ୍ୟ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ବଲାଙ୍ଗିର ଏମଭିଆଇ ଶ୍ରୀଯୁକ୍ତ ଗୌରହରି ହାଁସଦା ଯୋଗଦାନ ଦେଇ ସଡକ ସୁରକ୍ଷା ମୋଟର ଯାନ ଆଇନ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଧନଞ୍ଜୟ ସେଠ୍ ଛାତ୍ରଛାତ୍ରୀମାନଙ୍କର ସମାଜ ଗଠନରେ ଭୂମିକା ଓ ଆବଶ୍ୟକସ୍ଥଳେ ଦୁର୍ଘଟଣା ପିଡିତ ଲୋକଙ୍କୁ ସହଯୋଗର ହାତ ବଢେଇବା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ଦୈତାରୀ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଏନଏଚ-୨୬ ପାର୍ଶ୍ଵରେ ଛାତ୍ରଛାତ୍ରୀ ଏବଂ ପିଏଲଭିଏସ ମାନଙ୍କୁ ନେଇ ଏକ ସଡକ ସୁରକ୍ଷା ସଚେତନ ଶୋଭାଯାତ୍ରା ସହିତ ମୋଟର ଯାନ ଚାଳକମାନଙ୍କୁ ଲିଫଲେଟ ବଣ୍ଟନ କରାଯାଇ ସଚେତନ କରାଇଥିଲେ ।