ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମନ୍ଦିର ମାଳିନୀ ତଥା ଦ୍ଵିତୀୟ ବାରାଣସୀ ସୋନପୁର ସହର। ସହରର ଇଷ୍ଟଦେବ ସୁବର୍ଣ୍ଣଶମ୍ଭୁ ମନ୍ଦିର ରେ ଭୋର ୪.୩୦ ରେ ମହାଦୀପ ଉଠିଥିଲା। ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ସମସ୍ତ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ ମନ୍ତ୍ର। ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ସହ ଚାରିଆଡ଼େ ଉତ୍ସବର ମାହୋଲ। ମହା ଶିବରାତ୍ରୀ ପବିତ୍ର ପର୍ବ ବ୍ରହ୍ମାଣ୍ଡର ବିନାଶକାରୀ ଏବଂ ସବୁଠାରୁ ଦୟାଳୁ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ। ହିନ୍ଦୁ ଧର୍ମରେ ମହା ଶିବରାତ୍ରୀର ବିଶେଷ ମହତ୍ତ୍ୱ ଥିବା ବେଳେ ମହାଶିବରାତ୍ରିର ରାତିରେ ଭୋଳାବାବା ଶିବଲିଙ୍ଗରେ ବାସ କରନ୍ତି ବୋଲି ମାନ୍ୟତା ରହିଛି। ଆଜିର ରାତି ମହାସିଦ୍ଧିଦାୟିନୀ ତେଣୁ ସେହି ସମୟରେ କରାଯାଇଥିବା ପୂଜା ଏବଂ ଦାନ ନିଶ୍ଚିତ ଫଳପ୍ରଦ ହୋଇଥାଏ। ଏହି ପରିପେକ୍ଷୀରେ ସୋନପୁର ସହରର ଅଷ୍ଟଶମ୍ଭୁ ମନ୍ଦିର ଯଥା ସୁବର୍ଣ୍ଣମେରୁ, ରାମେଶ୍ବର, ପଞ୍ଚରଥ, ପଶ୍ଚିମ ସୋମନାଥ, ଗୋକର୍ନେଶ୍ୱର୍ ପୀଠ ତଥା ଅନ୍ୟାନ୍ୟ ଠାରେ ମହାଶିବରାତ୍ରି ତଥା ଜାଗର ଯାତ୍ରା ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ସକାଳୁ ବିଳମ୍ବିତ ରାତି ଯାଏ ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଶୈବ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଥିଲା। ମନ୍ଦିର ପୂଜକ ମାନେ ଦେବ ଦେବ ମହାଦେବଙ୍କ ସମସ୍ତ ନୀତି କାନ୍ତିରେ ପୂଜାର୍ଚ୍ଚନା ସମ୍ପର୍ନ୍ନ କରିଥିବା ବେଳେ ବିଳମ୍ବ ରାତ୍ରୀରେ ମହାଦୀପ ଉଠିଥିଲା। ଉପାସିଆ ମାନେ ଦୀପଜାଳି ଉଜାଗର ରହିଥିଲେ। ଭଜନ, କୀର୍ତ୍ତନ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର। ତେବେ ଏଠାରେ ବିଶ୍ୱାସ ରହିଛି ଅଖଣ୍ଡ ଦ୍ୱିପ ଜାଳିବା ଦ୍ୱାରା ଭକ୍ତମାନଙ୍କ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ତେଣୁ ଚଳିତ ବର୍ଷ ମନ୍ଦିର ପରିସରରେ ହଜାର ହଜାର ଭକ୍ତ ଅଖଣ୍ଡ ଦୀପ ଜାଳି ମାନସିକ କରିଥିଲେ। ଭକ୍ତ ମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।