ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରେଖପୁର ଗ୍ରାମରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଛି। ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇଙ୍କ ସମେତ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ନାରାୟଣ ସେଲମା, ସମ୍ପାଦକ ଗୁଣମଣି ଭୋଇ ଓ କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶୁକ୍ରବାର କଳସ ଯାତ୍ରରୁ ଆରମ୍ଭ ହୋଇଛି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏକ ଭବ୍ୟ ଶୋଭା ଯାତ୍ରାରେ ଶତାଧିକ ମହିଳା ସର୍ଗିଗୁଡ଼ା ସାନ୍ଦୂଲ୍ ନଦୀରୁ କଳସ ନେଇ ଆସି ମନ୍ଦିର ସମ୍ମୁଖସ୍ଥ ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ। ମାର୍ଚ୍ଚ ୭ ରୁ ୧୫ ମାର୍ଚ୍ଚ ଯାଏଁ ଚାଲିବ ମନ୍ଦିର ପ୍ରତିଷ୍ଠା ଉତ୍ସବ। ନବ ନିର୍ମିତ ମନ୍ଦିରରେ ସ୍ଥାପନା ପାଇଁ ସୁଦୂର ରାଜସ୍ଥାନରୁ ମାର୍ବଲ ମୂର୍ତ୍ତି ଅଣାଯାଇଛି। ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ରେଖପୁର ଗ୍ରାମର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ କୁମାର ଭୋଇ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଭୋଇ ମୁଖ୍ୟ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହାନ କରୁଛନ୍ତି। ଶୁକ୍ରବାର ଅଧିବାସ, ଦୀକ୍ଷା ଗ୍ରହଣ, ମଣ୍ଡଳ କରଣ ସଂଧ୍ୟା ୭ ଘଣ୍ଟା ସମୟରେ ଶୁଭ ଅଙ୍କୁର ରୋପଣ କାର୍ଯ୍ୟକ୍ରମ ରହିଥିବା ବେଳେ ମାର୍ଚ୍ଚ ୮ ରେ ପ୍ରାତଃ ପ୍ରତିଷ୍ଠା କର୍ମାରମ୍ଭ, ଶାଳା ସଂସ୍କାର, ସୂର୍ଯ୍ୟ ପୂଜା, ଗୋପୂଜା, ବୈଷ୍ଣବାନୀ ସଂସ୍କାର କାର୍ଯ୍ୟକ୍ରମ ରହିଛି। ସେହିଭଳି ମାର୍ଚ୍ଚ ୯ ରେ ହରିଦ୍ରାଦିବାସ, ପୁଷ୍ପାଧିବାସ, କଳାଧିବାସ ଓ ଶୟନ ବିଧାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ରେ ପ୍ରାସାଦନ୍ୟାସ, ନାଭିନ୍ୟାସ ଓ କୁର୍ମନ୍ୟାସ ସହ ଦେବତା ପ୍ରାଣ ସଂଚାର ବିଧାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୧ ମଙ୍ଗଳବାର ଦେବତା ଗ୍ରାମ୍ୟ ପରିକ୍ରମା, ଚକ୍ର ଭ୍ରମଣ, ଧ୍ୱଜା ସ୍ଥାପନ ଓ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମାର୍ଚ୍ଚ ୧୨ ରୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଏହା ମାର୍ଚ୍ଚ ୧୫ ହୋଲି ଉତ୍ସବ ଦିନ ସକାଳେ ପୂର୍ଣ୍ଣାହୂତି ପଡିବ। ଏହାସହ ଦଧିଭାଣ୍ଡ ଭଗ୍ନ, ନଗର ପରିକ୍ରମା, ଫଗୁଯାତ୍ରା ଯମୁନା ସ୍ନାନ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ଜଣାପଡିଛି। ୯ ଦିନ ବ୍ୟାପୀ ରେଖପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ରହିଥିବା ଏହି ମହାର୍ଘ କାର୍ଯ୍ୟରେ ଅଞ୍ଚଳବାସୀ ଶ୍ରଦ୍ଧାଳୁ ଭକ୍ତ ସମସ୍ତେ ସାମିଲ ହୋଇ ବିଭୂ କୃପା ଲାଭ କରନ୍ତୁ ବୋଲି ପରିଚାଳନା ସମିତି କର୍ମକର୍ତ୍ତା ଓ ଗ୍ରାମବାସୀ ନିବେଦନ କରିଛନ୍ତି।