ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୨୪ ଘୋଷିତ

ଓଡିଆ ଭାଷାରେ ପୁରସ୍କାର ପାଇବେ ସୁଭାଷ ଶତପଥୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୦୨୪ ମସିହାର ଅନୁବାଦ ପୁରସ୍କାର ଘୋଷିତ ହୋଇଛି। ଏକାଡେମୀର ସଭାପତି ମାଧବ କୈାଶିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୧ଟି ଭାଷାର ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ନାଁ ଘୋଷଣା କରାଯାଇଛି।

ଏଥର ଓଡିଆ ଭାଷା ପାଇଁ ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଲେଖକ ଏବଂ ଅନୁବାଦକ ସୁଭାଷ ଶତପଥୀ। ଇଂରାଜୀ ଭାଷାରେ ରଚିତ ରସକିନ୍ ବଣ୍ଡଙ୍କ ଆତ୍ମଜୀବନୀ (ଲୋନ୍ ଫକ୍ସ ଡ୍ୟାନ୍ସିଂ)ର ଓଡିଆ ଅନୁବାଦ ‘କୋକିଶିଆଳିର ଏକକ ନୃତ୍ୟ’ ପାଇଁ ତାଙ୍କୁ ଏହି ପୁରସ୍କାର ଳାଗି ମନୋନୀତ କରାଯାଇଛି। ଏହା ପୂର୍ବରୁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଶ୍ରୀ ଶତପଥୀଙ୍କ ପ୍ରକାଶିତ ଅନ୍ୟ ଅନୁବାଦ ପୁସ୍ତକ ମଧ୍ୟରେ ରହିଛି ସଂସାର, ପୂର୍ଣ୍ଣିମା ରାତ୍ରିର ଅଭିସାର ଓ ଅନ୍ୟାନ୍ୟ ଗଳ୍ପ , ସମୁଦ୍ର କୂଳର ଗାଁ, ଖୁଶୱନ୍ତ ସିଂହଙ୍କ ଗଳ୍ପ, ଏମ.ଟି. ବାସୁଦେବ ନାୟାରଙ୍କ ଗଳ୍ପ, ବିଭାଜନ ଇତ୍ୟାଦି। ସଂପ୍ରତି ସେ ଓଡିଆ ଦୈନିକ ଖବରକାଗଜ `ପ୍ରମେୟ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ଏଥର ଓଡିଆ ଭାଷାର ଅନୁବାଦ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ଥିଲେ ଅମରେଶ ପଟ୍ଟନାୟକ, ପ୍ରବାସିନୀ ମହାକୁଡ ଏବଂ ମୋନାଲିସା ଜେନା।

ଏହି ପୁରସ୍କାର ପାଇଁ ମନୋନୀତ ଅନ୍ୟ ଭାଷାର ଲେଖକମାନେ ହେଉଛନ୍ତି ଅଞ୍ଜନ ଶର୍ମା (ଅହମିଆ), ବାସୁଦେବ ଦାସ (ବଙ୍ଗଳା), ଉତ୍ତରା ବସୁମାତାରୀ (ବୋଡୋ), ଅର୍ଚ୍ଚନା କେସର (ଡୋଗ୍ରୀ), ଅନିସୁର ରହମାନ (ଇଂରାଜୀ), ରମଣିକ ଅଗ୍ରୱତ (ଗୁଜୁରାଟୀ), ମଦନ ସୋନି (ହିନ୍ଦୀ), ସିଦ୍ଧଲିଙ୍ଗ ପତ୍ତନସେଟ୍ଟୀ (କନ୍ନଡ), ଗୁଲାମ ନବୀ ଆତଶ (କଶ୍ମିରୀ), ମିଲିନ୍ଦ ମହମଲ (କୋଙ୍କଣୀ), କେଶକର ଠାକୁର (ମୈଥିଳି), କେ. ଭି. କୁମାରନ (ମାଲୟାଲମ), ଏସ ଇନ୍ଦ୍ରକୁମାର (ମଣିପୁରୀ), ସୁଦର୍ଶନ ଅଠାୱଲେ (ମରାଠୀ), ଚନ୍ଦନ ନେଗୀ (ପଞ୍ଜାବୀ), ସୋହନ୍ଦନ ଚରଣ (ରାଜସ୍ଥାନୀ), ନାଜିର ହେମ୍ବ୍ରମ (ସାନ୍ତାଳି), ଶୋଭା ଲାଲଚନ୍ଦାନୀ (ସିନ୍ଧୀ), ପି. ବିମଳା (ତାମିଲ) ଏବଂ ଟି. ରାଜେଶ୍ବରୀ (ତେଲୁଗୁ)।

ନେପାଳୀ ଏବଂ ସଂସ୍କୃତ ଭାଷାର ପୁରସ୍କାର ପରେ ଘୋଷଣା ହେବାକୁ ଥିବା ବେଳେ ଏଥର ଉର୍ଦ୍ଧୁ ଭାଷାରେ ପୁରସ୍କାର ଦିଆଯିବ ନାହିଁ ବୋଲି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଜଣାଇଛନ୍ତି। ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ବରୂପ ୫୦ ହଜାର ଟଙ୍କାର ଅର୍ଥରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯିବ। ୨୦୨୪ ବର୍ଷର ଅନୁବାଦ ପୁରସ୍କାର ପାଇଁ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରଥମେ ପ୍ରକାଶିତ ପୁସ୍ତକଗୁଡିକୁ ବିଚାରକୁ ନିଆଯାଇଥିଲା।

Oplus_131072

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.