ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତିକ ମହିଳା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବିଶ୍ବର ସମସ୍ତ ମହିଳାଙ୍କ ପ୍ରତି ସମ୍ମାନ ଜଣାଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ମହିଳା କର୍ମଚାରୀଙ୍କ ଦ୍ବାରା ଆନ୍ତର୍ଜାତିକ ମହିଳା ଦିବସ-୨୦୨୫ ପାଳିତ ହୋଇଯାଇଛି।

ସମାଜର ସବୁ ବର୍ଗର ଜନସାଧାରଣଙ୍କୁ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଯୋଡିବା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମୁଖ୍ଯ ଉଦ୍ଦେଶ୍ଯ ରହିଆସିଛି। ଏହି ଭିତ୍ତିରେ ଆନ୍ତର୍ଜାତିକ ମହିଳା ଦିବସରେ ଏକ ଭିନ୍ନ ଧରଣର ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ପରିକଳ୍ପନା କରାଯାଇଥିଲା।

ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟର ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀଙ୍କ ଦ୍ବାରା ନୀଳଗିରି ସ୍ଥିତ କୃଷ୍ଣ ଶୁକରୀ କନ୍ଯାଶ୍ରମ ଓ ଫୁଲାଡି ରୋଡ ସ୍ଥିତ କରୁଣା ଗୌରୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର କୁନିକୁନି ପିଲାମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଯାଇଥିଲା। କନ୍ଯାଶ୍ରମର ଛାତ୍ରୀମାନଙ୍କୁ ନିଜର ସୁରକ୍ଷା, ଲିଙ୍ଗଗତ ପ୍ରଭେଦ ଓ ସମାନତା, ସାମାଜିକ ଦାୟିତ୍ବ, ଅନ୍ତର୍ଭୁକ୍ତମୂଳକ ପ୍ରଶିକ୍ଷଣ ଓ ଭବିଷ୍ୟତ ଗଠନ ଇତ୍ୟାଦି ସମ୍ପର୍କରେ ସଚେତନଶୀଳ ବାର୍ତ୍ତା ପ୍ରଦାନ କରାଯାଇଥିଲା।

କରୁଣା ଗୌରୀ ଆଶ୍ରୟସ୍ଥଳୀ ର ପିଲାମାନଙ୍କ ସହିତ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରାଯାଇ ସେମାନଙ୍କର ରୁଚି, ଜୀବନଶୈଳୀ ଓ ଅନ୍ଯାନ୍ଯ ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ରହି, ପିଲାମାନଙ୍କୁ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ସମ୍ବନ୍ଧିତ ବିଷୟରେ ଅବଗତ କରାଇଥିଲେ। ଏହାସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍କୁଲ ପିଲାମାନଙ୍କୁ ବ୍ୟାଗ ବଣ୍ଟନ କରାଯାଇଥିଲା। ଏହି ଆଶ୍ରମ ଗୁଡିକର କୋମଳମତି ଶିଶୁମାନଙ୍କ ମଧ୍ଯରେ ଥିବା ସଙ୍ଗୀତ-ନୃତ୍ଯ କଳା ଓ ଅନ୍ଯାନ୍ଯ ପ୍ରତିଭା ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.