ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପଞ୍ଚମ ଦିବସ କାର୍ଯ୍ୟକ୍ରମ

ଗ୍ରାମ୍ୟ ପରିକ୍ରମା ପରେ ସିଂହାସନରେ ବିଜେ କଲେ ରାଧାକୃଷ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୁସଜ୍ଜିତ ବିମାନରେ ଚକ୍ରରାଜ ସୁଦର୍ଶନ ଓ ପାର୍ଶ୍ବ ଦେବାଦେବୀଙ୍କ ସହ ବିଜେକରି ଗ୍ରାମ୍ୟ ପରିକ୍ରମା କଲେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଘଣ୍ଟ, ଶଙ୍ଖ, ଖୋଳ କରତାଳ ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଥିଲା ଗଗନ ପବନ। ନିଜ ଆରାଧ୍ୟ ଦେବତାଙ୍କୁ ବନ୍ଦାପନା କରି ପରିବାରର ଶୁଭ ମନାସୁଛନ୍ତି ଗ୍ରାମ୍ୟ ବଧୂ। ଏହାପରେ ବୈଦିକ ବିଧାନ ଅନୁସାରେ ସିଂହାସନ ଆରୋହଣ କରିଛନ୍ତି ରାଧାକୃଷ୍ଣ। ଏପରି ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମରେ। ରେଖପୁରଠାରେ ମହାସମାରୋହରେ ଚାଲିଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ। ମଙ୍ଗଳବାର ଦେବତା ଗ୍ରାମ୍ୟ ପରିକ୍ରମା, ଚକ୍ର ଭ୍ରମଣ ସହ ଧ୍ବଜା ସ୍ଥାପନ ଓ ବିଗ୍ରହଙ୍କ ସିଂହାସନ ଆରୋହଣ, ଅଞ୍ଚଳ ପ୍ରତିଷ୍ଠା, ଘୃତ ଯଜ୍ଞର ପୂର୍ଣ୍ଣାହୁତି ଏବଂ ୨୪ ପ୍ରହର ନାମ ଯଜ୍ଞ ପାଇଁ ଶୁଭାଧିବାସ ଆଦି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରୁଛନ୍ତି। ଏଥିରେ ମୁଖ୍ୟ କର୍ତ୍ତା ଭାବେ ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରୁଛନ୍ତି। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ବିଭୁ କୃପା ଲାଭ କରିବାକୁ ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.