ରେଖପୁର ୨୪ ପ୍ରହର ନାମ ଯଜ୍ଞ ପାଇଁ ଶୁଭାଧିବାସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପାଇଁ ରେଖପୁରରେ ନିର୍ମାଣ ହୋଇଛି ଭବ୍ୟ ମନ୍ଦିର। ମଙ୍ଗଳବାର ନଗର ପରିକ୍ରମା ପରେ ରାଧାକୃଷ୍ଣ ସିଂହାସନ ଆରୋହଣ କରିଛନ୍ତି। ଏହାସହ ଚବିଶ ପ୍ରହର ନାମ ଯଜ୍ଞ ପାଇଁ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା କଳସ ଯାତ୍ରା। ତିନି ଶହରୁ ଉର୍ଦ୍ଧ୍ବ ମହିଳା କଳସ ମୁଣ୍ଡାଇ ଏହି ଯାତ୍ରାରେ ସାମିଲ ହୋଇଥିଲେ। ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ଗ୍ରାମ୍ୟ ପରିବେଶ। ଗତ ମାର୍ଚ୍ଚ ୭ରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମରେ ଚାଲିଛି ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ। ଏହା ମାର୍ଚ୍ଚ ୧୫ ଶନିବାର ଦିନ ସମାପନ ହେବ। କାର୍ଯ୍ୟକ୍ରମର ପଞ୍ଚମ ଦିବସରେ  ଦେବତା ଗ୍ରାମ୍ୟ ପରିକ୍ରମା, ଚକ୍ର ଭ୍ରମଣ ସହ ଧ୍ବଜା ସ୍ଥାପନ ଓ ବିଗ୍ରହଙ୍କ ସିଂହାସନ ଆରୋହଣ, ଅଞ୍ଚଳ ପ୍ରତିଷ୍ଠା, ଘୃତ ଯଜ୍ଞର ପୂର୍ଣ୍ଣାହୁତି ଏବଂ ୨୪ ପ୍ରହର ନାମ ଯଜ୍ଞ ପାଇଁ ଶୁଭାଧିବାସ ଆଦି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରୁଛନ୍ତି। ଏଥିରେ ମୁଖ୍ୟ କର୍ତ୍ତା ଭାବେ ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରୁଛନ୍ତି। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ମାର୍ଚ୍ଚ ୧୨ ବୁଧବାର ଦିନ ସକାଳ ୭.୩୪ ରୁ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୫ ଶନିବାର ପବିତ୍ର ହୋଲି ଉତ୍ସବ ଦିନ ନାମ ଯଜ୍ଞର ବିଶ୍ରାମ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.