୧୧ ମାସରେ ବିଜେପି ସରକାରର ଅପାରଗତା: ୩୧୪ ବ୍ଲକରେ ପଡ଼ିରହିଛି ୩୦୦୦ କୋଟି -ସମାଜବାଦୀ ପାର୍ଟି ଓଡିଶା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲା ଅନ୍ତର୍ଗତ ୩୧୪ଟି ବ୍ଲକରେ ୧୧ ମାସ ହେଲା ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇପଡ଼ିଛି । ପୂର୍ବ ବିଜେଡି ସରକାର ସମୟରେ ଆରମ୍ଭହୋଇଥିବା ‘ମୋ ଓଡ଼ିଶା, ନବାନ ଓଡ଼ିଶା’ ଯୋଜନାରେ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରୁନି। ପ୍ରତି ପଞ୍ଚାୟତରେ ଏହି ଯୋଜନାରେ ଆରମ୍ଭ ହୋଇଥିବା ଏକକ ବିକାଶମୂଳକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି ।

ଏନେଇ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତିରେ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଭାଜପା ସରକାରକୁ ତୀବ୍ର ସମାଲୋଚନା କରିବା ସହିତ କହିଛନ୍ତି ଯେ, ବର୍ତମାନର ସରକାର ପୂର୍ବ ଯୋଜନାରେ ପ୍ରଦତ୍ତ ଅର୍ଥ ଖର୍ଜ କରିବାକୁ କି ଫେରାଇ ଦେବାକୁ ବ୍ଲକ ପ୍ରଶାସନ‌କୁ ନିର୍ଦ୍ଦେଶ ଦେଉନାହାନ୍ତି । ଯାହାଫଳରେ ୩୧୪ଟି ବ୍ଲଳରେ ୩୦୦୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ନ ହୋଇପାରି ପଡ଼ିରହିଛି ଯାହା ଭାଜପା ସରକାରର ଅପାରଗ ଶାସନର ପ୍ରତିଫଳନ ।

ସୂଚନା ଅନୁଯାୟୀ, ପୂର୍ବ ବିଜେଡି ସରକାର ୨୦୨୪ ନିର୍ବାଚନ ପୂର୍ବରୁ ‘ମୋ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଆରମ୍ଭ କରିଥିଲେ । ୩୧୪ଟି ବ୍ଲକକୁ ଏହି ଯୋଜନାରେ ପ୍ରାୟ ୩୬୦୦କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏହି ଅର୍ଥ ଖର୍ଚ ନେଇ ସରକାର କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ । ଏହି ଯୋଜନାରେ ବ୍ଲକକୁ ଯାଇଥିବା ଅର୍ଥକୁ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା । ଦଳୀୟ ଲବିରେ ବ୍ଲକ ପ୍ରଶାସନ କାର୍ଯ୍ୟାଦେଶ ଦେଇଥିଲା । ଠିକ୍ ନିର୍ବାଚନ ପୂର୍ବରୁ ଏହି ଅର୍ଥ ମିଳିଥିବାରୁ ଅଧିକାଂଶ ବ୍ଲକ ପ୍ରଶାସନ ସମସ୍ତ ଅର୍ଥ ଖର୍ଚ୍ଚ କରିପାରିନଥିଲେ ନିର୍ବାଚନ ଆଚରଣ ବିଧ୍ ଲାଗୁ ପରେ ଏହି ଯୋଜନାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବନ୍ଦ ରହିଥିଲା। ନିର୍ବାଚନରେ କ୍ଷମତା ପଟ୍ଟ ପରିବର୍ତ୍ତନ ଘଟିଥିଲା । ବିଜେପି କ୍ଷମତାକୁ ଆସିବା ପରେ ‘ମୋ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ବ୍ଲକକୁ ମିଳିଥିବା ଅର୍ଥର ସମୀକ୍ଷା କରିବାକୁ ନିଷ୍ପତି ନେଇଥିଲେ ଯାହା ଦ୍ୱାରା ପଂଚାୟତ ସ୍ତରରେ ଆରମ୍ଭ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଠପ ହୋଇଯାଇଥିଲା ।

ଏହି ଯୋଜନାରେ ମଞ୍ଜୁର ପାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ନ କରିବାକୁ ସରକାର ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ସରକାରଙ୍କ କଡ଼ା ନିର୍ଦେଶ ପରେ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର ହେବା ପରେ ଏହି ଯୋଜନା ବାବଦ ଅର୍ଥ ଖର୍ଚ୍ଚ ହୋଇନପାରି ବ୍ଲକରେ ପଡ଼ିରହିଛି ।

ପ୍ରକଳ୍ପ କାର୍ଯ୍ୟ ଶେଷ ହେଉନି କି ପଡ଼ିରହିଥିବା ଅର୍ଥ ଖର୍ଚ କରିବା ସକାଶେ ସରକାର କୌଣସି ସ୍ପଷ୍ଟ ନିର୍ଦେଶ ଦେଉନାହାନ୍ତି । ଏହି ଯୋଜନା ଅର୍ଥ ଫେରାଇ ଦେବାକୁ କୌଣସି ନିର୍ଦ୍ଦେଶ ପାଇନଥିବାରୁ ବ୍ଲକ ପ୍ରଶାସନ ଦ୍ବନ୍ଦ୍ବରେ ପଡ଼ିଛି । ଅପରପକ୍ଷରେ କାର୍ଯ୍ୟାଦେଶ ପାଇଥବା ଠିକାଦାର ଅଧାପନ୍ତରିଆ ପ୍ରକଳ୍ପ ବାବଦ ଅର୍ଥ ଦେବାକୁ ପ୍ରଶାସନ ନିକଟରେ ଦାବି କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଯାହାକୁ ନେଇ ବର୍ତମାନ ଅଧିକାଂଶ ବ୍ଲକରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ‘ମୋ ଓଡ଼ିଶା, ନଦୀନ ଓଡ଼ିଶା’ ଯୋଜନାର ନାମ ପରିବର୍ତ୍ତନ କରି ବିକଶିତ ଗାଁ, ବିକଶିତ ଓଡ଼ିଶା’ କରିବାକୁ ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ରୂପରେଖ ସୃଷ୍ଟ ହୋଇନାହିଁ । ଏହି ଯୋଜନାରେ ପୂର୍ବ ଯୋଜନା ବାବଦରେ ମିଳିଥିବା ଅର୍ଥ କିପରି ଖର୍ଚ୍ଚ କରାଯିବ, ତା’ର ନିର୍ଦେଶନାମା ଜାରି ହୋଇନଥିବାରୁ ବ୍ଳକ ପ୍ରଶାସନ ପୁରୁଣା ଯୋଜନା ବାବଦ ଅର୍ଥ ଖର୍ଚ୍ଚ କରିବାକୁ ନେଇ ଅନିଶ୍ଚିତତାରେ ପଡ଼ିଛି । ଗ୍ରାମର ବିକାଶରେ ଦେଶରେ ବିକାଶ ତେଣୁ ଭାଜପା ସରକାର ଆକ୍ରୋଶ ମୂଳକ ରାଜନୀତି ଛାଡି ଜନହିତରେ ରାଜନୀତି କରିବା ଉଚିତ ବୋଲି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.