ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପକ୍ଷରୁ ଆୟୋଜିତ ହେଲା ବହିବିଷୁବ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ପାଠକାର୍ପିତ ହେଲା ନୂଆ ଲେଖିକାଙ୍କ ୮ ନୂଆବହି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଭୁବନେଶ୍ବରସ୍ଥ ବୁଦ୍ଧମନ୍ଦିରରେ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ବହିବିଷୁବ’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ ନୂଆ ନୂଆ ପାଦ ଥାପିଥିବା ଦଶ ଜଣ ନବପ୍ରତିଭାଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ସେମାନଙ୍କର ପ୍ରଥମ ପୁସ୍ତକ ଉନ୍ମୋଚନ ହେବା ସହିତ ପଣା ସଂକ୍ରାନ୍ତିରେ ସମସ୍ତଙ୍କୁ ପଣାପାନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା।

ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଆରମ୍ଭ ହୋଇଥିଲା ମଞ୍ଚରେ ସ୍ଥାପିତ ପବିତ୍ର ତୁଳସୀ ଚଉଁରାରେ ବନ୍ଧା ବସନ୍ତରା ଠେକିରେ ଜଳାର୍ପଣ କରି। ବରେଣ୍ୟ ଅତିଥି କବି ରାଜେନ୍ଦ୍ର କିଶୋର ପଣ୍ଡା, କଥାକାର ଦାଶ ବେନହୁରଙ୍କ ସହ ଲେଖିକାମାନେ ଶଙ୍ଖ ହୁଳହୁଳି ସହ ଚଉଁରା ବନ୍ଦାପନା କରି କାର୍ଯ୍ୟକ୍ରମର ଅପାରମ୍ପରିକ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟାଇମ୍‍ପାସ୍‍ ପ୍ରଥମା ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣରେ ସଫଳ ହୋଇଥିବା ଐଶୂର୍ଯ୍ୟା ରାଉତ, ଅର୍ପିତା ପତି, ମନୀଷା ବିଶ୍ୱାଳ, ପ୍ରତିଭା ଖିଲାର, ପ୍ରୀତିପଦ୍ମା ଦାସ, ସରୋଜିନୀ ଶଙ୍ଖୁଆ, ଶୀତଲ ମିଶ୍ର, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରମୁଖ ଲେଖିକାଙ୍କର ସର୍ବପ୍ରଥମ ପୁସ୍ତକ ନିମନ୍ତ୍ରିତ ଅତିଥି ଓ ପ୍ରିୟପରିଜନଙ୍କ ଗହଣରେ ପାଠକାର୍ପିତ ହୋଇଥିଲା। ପ୍ରତ୍ୟେକ ଲେଖିକାଙ୍କର ପ୍ରଥମ କପି ନିଲାମ ଡକା ଯାଇଥିଲା ଓ ଚଢ଼ା ରେଟ୍‍ ଦେଇ ପାଠକମାନେ ଅଟୋଗ୍ରାଫ୍‍ ସହ ଲେଖିକାଙ୍କ ହାତରୁ ତାହା ସଂଗ୍ରହ କରିଥିଲେ।

‘ପ୍ରଥମା’ରୁ ଯାତ୍ରାରମ୍ଭ କରି ଇତିମଧ୍ୟରେ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠା ପାଇ ସାରିଥିବା ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସୁମିତ୍‍ ପଣ୍ଡା, ଲିଜାଲିନ୍‍ ବିଶ୍ୱାଳ, ପ୍ରଜ୍ଞା ପାରମିତା ରଥ, ସ୍ୱପ୍ନାଜିତା ଶଙ୍ଖୁଆ ପ୍ରମୁଖ ଯୁବସ୍ରଷ୍ଟାଗଣ ନିଜ ନିଜ ଲେଖକୀୟ ଯାତ୍ରାର ଅଭିଜ୍ଞତା ଓ ଅନୁଭୂତି ବଖାଣିଥିଲେ। ପ୍ରମୁଖ ଅତିଥି ଭାବେ ଉତ୍ସବରେ ଶେଷସ୍ପର୍ଶ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ‘ପ୍ରଥମା’ର ଲେଖିକାମାନଙ୍କୁ ଆଶୀର୍ବାଦ କରିଥିଲେ।

ତରୁଣ ଲେଖକ ବେଦପ୍ରକାଶ ନାୟକ ଉତ୍ସବ ସଂଚାଳନ କରିଥିବା ବେଳେ ଅଧ୍ୟକ୍ଷତା କରିଥିଲେ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ। ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ତିଳୋତ୍ତମା ଦାସ, ସୁବ୍ରତ ବଳ, ଭାଗ୍ୟଶ୍ରୀ ପଣ୍ଡା, ପ୍ରିୟାଂଶୁ ପ୍ରିୟଦେବ ଓ ସମାସ ବଳ। ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇ ଶତାଧିକ ଲେଖକ ଓ ସାହିତ୍ୟପ୍ରେମୀ ‘ବହିବଷୁବ’କୁ ଉପଭୋଗ କରିବା ସହ ଏହାକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.