ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧୀନସ୍ଥ ତୁଳାପଡାର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ଗତ ଶୁକ୍ରବାର ଦିନ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା । ମଇ ୨୫ ଠାରୁ ଜୁନ ୨ ପର୍ଯ୍ୟନ୍ତ ମହା ସମାରୋହରେ ଘୃତ ଯଜ୍ଞ,ଅନ୍ନ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ ସହ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଯୋଜନା କରାଯାଇଛି। ମଇ ୨୯ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ବତିଶ ପ୍ରହର ନାମଯଜ୍ଞ ମଧ୍ଯ ଅନୁଷ୍ଠିତ ହେବ । ତା୨୩ରିଖ ଦିନ ମୁଖ୍ଯ ପୂଜକ ଦେବ ପ୍ରସାଦ ଷଡଙ୍ଗୀ, ଡ଼ଃ କିଶୋର ଚନ୍ଦ୍ର ତ୍ରିପାଠୀ, ମୁଖ୍ଯ କର୍ତ୍ତା ମନମୋହନ ନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଭିମନ୍ଯୁ ପଧାନ, ସୁମନ ନାୟକ ଶ୍ରୀକ୍ଷେତ୍ର ପୁରୀରୁ ଆଜ୍ଞାମାଳ ଆଣିଲେ । ଆଜ୍ଞା ମାଳ ନେଇ ଆସିଥିବା କର୍ତ୍ତା ଓ ପୂଜକ ମଣ୍ଡଳୀଙ୍କୁ ତୁଳାପଡ଼ାରେ ଭବ୍ୟ ସ୍ବାଗତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ତା୨୬ ଓ ତା ୨୭ ରିଖ ଦୁଇଦିନ ନୟାଗଡର କୁରୁଡା ପଲ୍ଲୀ “ଝିଅ ରାମଲୀଳା” ଏବଂ ୨୮ ତାରିଖ ଦିନ ବିଶିଷ୍ଟ ଗାୟିକା ବିଜ୍ଞେଶୀ ବାରିକ, ପ୍ରୀତିନନ୍ଦା ମିଶ୍ର ଓ ମୀନୁ ପ୍ରଧାନଙ୍କ ଦ୍ବାରା ଭଜନ କାର୍ଯ୍ୟକ୍ରମ ସଂଧ୍ଯା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମୀନାବଜାର ସହ ଅନେକ ଦୋକାନ ବଜାର ବସିବା ସହିତ ବହୁ ସଂଖ୍ୟକ ଜନ ସମାଗମ ହେବ ବୋଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟି ସୂଚନା ପ୍ରଦାନ କରିଛନ୍ତି । ୨୫ ତାରିଖ ଅପରାହ୍ନରେ କଳସ ଯାତ୍ରା ସହ ଅଧିବାସ କର୍ମ ଆଡମ୍ବର ସହକାରେ ଅନୁଷ୍ଠିତ ହେବ । ପ୍ରତ୍ଯେକ ଦିନ ସମସ୍ତ ଭକ୍ତଙ୍କ ପାଇଁ ଆନନ୍ଦ ବଜାର ଅନ୍ନ ପ୍ରସାଦର ବ୍ଯବସ୍ଥା ରହିବ ।ଉକ୍ତ କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ଆଖପାଖ ଗ୍ରାମର ଅନେକ ଜଗନ୍ନାଥ ପ୍ରେମୀ ଏବଂ ତୁଳାପଡା ଗ୍ରାମର ସମସ୍ତ ଜନ ସାଧାରଣ ସହଯୋଗର ହାତ ବଢାଇଛନ୍ତି । ଉକ୍ତ ନବଦିନ କାର୍ଯ୍ୟକ୍ରମରେ ବହୁ ସଂଖ୍ଯାରେ ଭକ୍ତ ଉପସ୍ଥିତ ହୋଇ ସଫଳ କରିବା ପାଇଁ କମିଟି ତରଫରୁ ନିବେଦନ କରା ଯାଇଛି ।