ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ଉଦେ ସାଗର ଏବେ ଦୟନୀୟ ସ୍ଥିତିରେ। ଶନିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ନର୍ଲା ବିଧାୟିକା ମନୋରମା ମହାନ୍ତି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସରୋଜ ସା, ନର୍ଲା କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ ଙ୍କ ସହ ଅସୁରଗଡ ଉଦେ ସାଗର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ବିଧାୟିକାଙ୍କ ସ୍ଵତନ୍ତ୍ର ପ୍ରତିନିଧି ଗୋବିନ୍ଦ ତାଣ୍ଡି, ଯୁବ ନେତା ସମୀର ରାଉତ, ମାଣ୍ଡେଲର ପୂର୍ବତନ ସରପଞ୍ଚ ସାର୍ଥିକ ମାଝୀ, ସୁକା ରଣା, ନାବିକ ଗୌଡ, ବେଣୁଧର ଗଉଡ, ଅସୁରଗଡ ମତ୍ସ୍ୟ କମିଟି ସଭାପତି ଭୀଷ୍ମ ମାଝୀ, ଥବିର ପଧାନ, ଲିଙ୍ଗ ପଧାନଙ୍କ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ଅସୁରଗଡ ଉଦେ ସାଗରରେ ଦଳ ସମସ୍ୟା ଓ କ୍ରମେ ଏହା ପୋତି ହୋଇ ପଡିଥିବା ଯୋଗୁଁ ସେମାନେ କେମିତି ଅସୁବିଧା ଭୋଗୁଛନ୍ତି ସେ ବିଷୟରେ ବିଧାୟିକା ଓ ଏସଇ ଙ୍କୁ ଅବଗତ କରାଇ ଏହାର ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ। ମାଣ୍ଡେଲ ଗ୍ରାମ ପଞ୍ଚାୟତର ଲାଇଫ ଲାଇନ ସାଜିଥିବା ଅସୁରଗଡ ଊଦେସାଗର କ୍ଷୁଦ୍ର ଜଲସେଚନ ପ୍ରକଳ୍ପ ଅଧିନରେ ରହିଥିବା ବେଳେ ସାଗରର ପାଣି ଅର୍ଦ୍ଧେକ ଭାଗ ସୁଖିଯିବା ପରେ ଦୀର୍ଘ ୧୦ ବର୍ଷ ତଳେ ମାତ୍ର ୧୦ ଲକ୍ଷ ଟଙ୍କାର ପଙ୍କୋଧାର କାମ ହୋଇଥିଲା ମାଇନର ଇରିଗେସନ ବିଭାଗ ତରଫରୁ। ଯାହା ସମୁଦ୍ରକୁ ଶଂଖେ ସଦୃଶ। ଏବେ ଦୀର୍ଘ ୮୦ ବର୍ଷ ପରେ ସାଗରର ପାଣି ସମ୍ପୂର୍ଣ୍ଣ ସୁଖି ଯାଇଛି। ସମ୍ମୁଖ ଭାଗରେ ଖାଲରେ ମାତ୍ର ୩ ଫୁଟ ପାଣି ଓ ଦଳ ରହିଛି। ଚଳିତ ବର୍ଷ ତ ବର୍ଷା ଆରମ୍ଭ ହୋଇଗଲାଣି। ଏଥର କେବଳ ଦଳ ସଫା କାମ କରେଇ ଦେବା। ଓ ଆସନ୍ତା ବର୍ଷ ରେ ପଙ୍କୋଧାର କାମ ପାଇଁ ସରକାରଙ୍କୁ ବିଭାଗ ଜରିଆରେ ପ୍ରସ୍ତାବ କରିବା ବୋଲି ଏସ ଇ ସରୋଜ ସା ତାଙ୍କ ମତାମତରେ କହିଛନ୍ତି। ଏହି ସାଗର କ୍ଷୁଦ୍ର ଜଳ ସେଚନ ବିଭାଗ ଦାୟୀତ୍ୱରେ ରହିଥିବା ବେଳେ ବିଭାଗ ଆଗରୁ ଏହାର ରକ୍ଷଣା ବେକ୍ଷଣ ପାଇଁ ଗୁରୁତ୍ବ ଦେଇ ନଥିବାରୁ ଆଜି ଏହାର ପରିସ୍ଥିତି ଦୟନୀୟ ହୋଇ ପଡ଼ିଛି ବୋଲି ଅସୁରଗଡ ବାସୀ କହୁଛନ୍ତି। ଗତ ସପ୍ତାହରେ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ନର୍ଲା ବିଧାୟିକା ମାନନୀୟା ମନୋରମା ମହାନ୍ତିଙ୍କ ଲିଖିତ ଅନୁରୋଧ କ୍ରମେ ଏହାର ପଙ୍କୋଧାର କାମ ପାଇଁ ପ୍ରସ୍ତାବିତ ହୋଇଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ ମାଣ୍ଡେଲ ଗ୍ରାମ ପଞ୍ଚାୟତସ୍ଥ ଅସୁରଗଡ ଐତିହାସିକ କିମ୍ବଦନ୍ତୀ ସ୍ଥଳ ଅଟେ। ଗଡଖାଇକୁ ଲାଗି ୫୧ ହେକ୍ଟର ପରିଧି ବିଶିଷ୍ଟ ଏହି ଉଦେସାଗର ଇତିହାସର ମୁକସାକ୍ଷୀ ଅଟେ। କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ଅଧିନରେ ରହିଥିବା ଏହି କିମ୍ବଦନ୍ତୀ ଅସୁରଗଡ ରତ୍ନଗର୍ଭା ବୋଲି ପ୍ରମାଣିତ ହୋଇସାରିଛି। ଗତ ୨୦୦୧ ମସିହାରୁ ପ୍ରତ୍ନତତ୍ୱ ବିଭାଗ ଏଠାରେ ସାଇନ ବୋର୍ଡ ମାରି ଗଡ ଭିତରେ ଖନନ କରିବାକୁ ବାରଣ କରିଥିବା ବେଳେ ମାଟିତଳେ ପୁରାତନ କୀର୍ତ୍ତିରାଜି ରହିଥିବା ନେଇ ଗଡ ମଧ୍ୟରେ ୨୦୧୮ ମସିହାରେ ଏହାର ଖନନ କରିଥିଲେ ପ୍ରତ୍ନତତ୍ୱ ବିଭାଗ ସାନ୍ଦୁଲ ନଈର ଅବବାହିକାରେ ରହିଥିବା ଅସୁରଗଡ ଏବଂ ସାନ୍ଦୁଲ ନଈର ଆର ପାଶ୍ୱର୍ରେ ରହିଥିବା ବିଭିନ୍ନ ଗ୍ରାମ ଗୁଡିକ ମଧ୍ୟ ଅସୁରଗଡ ର ଶାସନାଧିନ ରହିଥିଲା ଯାହା ବର୍ତ୍ତମାନ ଅସୁରଗଡ ଦୁର୍ଗ ଭିତର ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ର ଭୂବନେଶ୍ୱର ସ୍ଥିତ ଉତ୍ଖନନ ଶାଖା ୪ ର ମୁଖ୍ୟ ପ୍ରତ୍ନତତ୍ୱ ଅଧିକ୍ଷକ ଦିବିଶଦ୍ ବ୍ରଜସୁନ୍ଦର ଗଡନାୟକଙ୍କ ନେତୃତ୍ୱରେ ସହ ଅଧିକ୍ଷକ ଆଶିଷ ରଞ୍ଜନ ସାହୁ, ଉମାକାନ୍ତ ଭୋଇ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାକୁ ଖନନ କରାଯାଇ ଅନେକ କୀର୍ତ୍ତିରାଜି ଉଦ୍ଦାର ହୋଇ ରାଜ୍ୟ ସଂଗ୍ରହାଳୟକୁ ଯାଇଛି। ପ୍ରାଚୀନ ସଭ୍ୟତାର ଭବନ ମାଟିତଳୁ ଉଦ୍ଦାର ହୋଇଛି। ହେଲେ କରୋନା ପରଠୁଁ ଏହାର ଖନନ କାର୍ଯ୍ୟ ବନ୍ଦ ରହିଛି। ଏହି କିର୍ତ୍ତୀରାଜି ସବୁ ୨୩,୦୦୦ ବର୍ଷ ପୁରାତନ କୁଷାଣ ଶାସନ ସମୟର ବୋଲି ଐତିହାସିକ ମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗ ଏହାକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା ପାଇଁ କଳାହାଣ୍ଡି ସଂସ୍କାର ଭାରତୀ ତରଫରୁ କମଳ ମଣ୍ଡଳ ସମିତି ଗଠନ କରାଯାଇ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରି ଆସୁଛି। ହେଲେ ଏଯାଏଁ ମିଳି ପାରିନାହିଁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା। ଇତିହାସ କୁହେ ଶତୃଙ୍କୁ ପ୍ରତିରୋଧ କରିବା ପାଇଁ ଏହି ଉଦେସାଗର କୁ ବ୍ୟବହାର କରାଯାଉଥିଲା। ସମୟ କ୍ରମେ ଏହା ଅସୁରଗଡ ବାସୀଙ୍କ ଚାଷବାସ ଓ ସ୍ନାନ ଶୌଚ ର ମୁଖ୍ୟ ମାଧ୍ୟମ ସାଜିଛି। କୁହାଯାଏ ଏହା ର ଗଭୀର ୮୦ ଫୁଟ ରହିଥିଲା। ହେଲେ ସମୟକ୍ରମେ ଏହା ପୋତି ହୋଇ ବର୍ତ୍ତମାନ ମାତ୍ର ୨୫ ଫୁଟ ଗଭୀର ରହିଯାଇଛି। ଫଳରେ ରବି ଚାଷପାଇଁ ପାଣି ପର୍ଯ୍ୟାପ୍ତ ହେଉନଥିବା ଚାଷୀ କହିଛନ୍ତି। ଦୀର୍ଘ ୨୫ ବର୍ଷ ହୋଇଗଲା ମତ୍ସ କମିଟି ଗଠିତ ହୋଇ ରେକର୍ଡ ଭାବରେ ମାଛ ଉତ୍ପାଦିତ ହୋଇ କମିଟି ଆର୍ଥିକ ସୁଦୃଡ ହୋଇପାରିଛି। ଚଳିତ ବର୍ଷ ବର୍ଷାଋତୁ ଆରମ୍ଭରେ ଏକ ପ୍ରକାରର ଦଳ ଏହି ସାଗରରେ କାୟା ବିସ୍ତାର କରିବାରୁ ଏହି ପୋଖରୀ ପାଣି ନଷ୍ଟ ହୋଇଯିବା ସହ ମାଛ ମଧ୍ୟ ପର୍ଯ୍ୟାପ୍ତ ମରିଯାଇ ମତ୍ସ କମିଟି ବହୁତ କ୍ଷତି ସହିଥିବା ଜଣାପଡିଛି। ବର୍ତ୍ତମାନ ଉଦେସାଗର ସମ୍ପୂର୍ଣ୍ଣ ସୁଖି ଯାଇଥିବାରୁ ପଙ୍କୋଧାର ପାଇଁ ଏହା ପ୍ରକୃଷ୍ଟ ସମୟ। ଯାହା କାମ ହେବ ଏହି ଗୋଟିଏ ମାସ ଜୁନ ମାସରେ ହିଁ ହେବ। ବର୍ଷା ହୋଇଗଲେ ଆଉ କାମ ହୋଇପାରିବ ନାହିଁ। ଅସୁରଗଡ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ନର୍ଲା ବିଧାୟୀକା ଶ୍ରୀମତୀ ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଫଣ୍ଡ ଓ ବିଧାୟିକା ଫଣ୍ଡରୁ ପ୍ରଥମେ ଏହାକୁ ସଫା କରାଇ ଦଳ ମୁକ୍ତ କରେଇବା ବ୍ୟବସ୍ଥା କରିବା ବୋଲି ପ୍ରତିଶୃତି ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ନର୍ଲା ବ୍ଲକର ରୁପ୍ରା ସୁନାମୁହିଁ ସାଗର, ଅସୁରଗଡ଼ ଉଦେ ସାଗର, ମ. ରାମପୁର ବ୍ଲକର ର ହରିହର ସାଗର ଏବଂ କ୍ଷୁଦ୍ର ଜଳ ସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ କୁ ପରିଦର୍ଶନ କରି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ଆଗାମୀ ଦିନରେ ପଙ୍କୋଦ୍ଧାର ଓ ସୋନ୍ଦର୍ଯ୍ୟ କରଣ କରିବା ପାଇଁ ଆଲୋଚନା କରିଥିଲେ।